କର୍ଫ୍ୟୁ ଭିତରେ କଟକଣା କୋହଳ: ୨ଘଂଟା ଖୋଲିଲା ଦୋକାନ-ବଜାର, ଅତ୍ୟାବଶ୍ୟକ ଜିନିଷ କିଣିଲେ ଲୋକେ

130

କନକ ବ୍ୟୁରୋ: କର୍ଫ୍ୟୁ ଭିତରେ ସମ୍ବଲପୁରରେ ୨ଘଂଟା କଟକଣା କୋହଳ କରିଛି ପ୍ରଶାସନ । ଘୋଷଣା ଅନୁସାରେ, ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲିଥିଲା ଦୋକାନ- ବଜାର । ବହୁ ଦୋକାନ ବନ୍ଦ ରହିଥିବାବେଳେ ଛୋଟ ଛୋଟ ପରିବା ଦୋକାନୀ, ଫଳ ଦୋକାନୀ ଦୋକାନ ଖୋଲିଥିଲେ । କଟକଣା କୋହଳ ହେବା ପରେ, ସାଧାରଣ ଲୋକ ବି ଘରୁ ବାହାରକୁ ବାହାରିଥିଲେ । ଆଉ ସବୁଜ ପନିପାରିବା, ଫଳ, ଓ ରାସନ ସାମଗ୍ରୀ ଭଳି ଅତି ଅତ୍ୟାବଶ୍ୟକ ଜିନିଷ କିଣିଥିବା ଦେଖିବାକୁ ମିଳିଛି ।

କଟକଣା କୋହଳ ହୋଇଥିଲେ ବି ଅଧିକାଂଶ ଦୋକାନ ବନ୍ଦ ରହିଥିଲା । ବଡ ବଡ ଦୋକାନ ଖୋଲି ନଥିଲେ । ଅନ୍ୟ ଦିନ ମାନଙ୍କ ଭଳି ବଜାରରେ ଲୋକଙ୍କ ଭିଡ ବି ନଥିଲା । ବହୁ କମ୍ ଲୋକ ବଜାରକୁ ଆସିଥିଲେ । ତେବେ କଟକଣା କୋହଳ ସମୟରେ, ପରିସ୍ଥିତି ସ୍ୱାଭାବିକ ଥିବା କହିଛନ୍ତି ସ୍ଥାନୀୟ ଲୋକ । ଏବଂ ଯେତେ ଶୀଘ୍ର ସହରକୁ ଶାନ୍ତି ଫେରି ଆସିବ ସେତେ ଭଲ ବୋଲି କହିଛନ୍ତି ।

କର୍ଫ୍ୟୁ ଲାଗିବା ପର୍ଯ୍ୟନ୍ତ ଏମିତି ପ୍ରତିଦିନ ଦିନକୁ ଦୁଇ ଥର କଟକଣା କୋହଳ ହେବ । ଥରେ ସକାଳେ ଓ ଥରେ ସନ୍ଧ୍ୟାରେ କଟକଣା କୋହଳ ହେବ । ଏହି ସମୟରେ ସାଧାରଣ ଲୋକ ସେମାନଙ୍କ ଆବଶ୍ୟକ ସାମଗ୍ରୀ କିଣିପାରିବେ ଓ ଜରୁରୀ କାମ କରିପାରିବେ । ତେବେ ଭାଇଚାରାର ସହର ସମ୍ବଲପୁରରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସାଧାରଣ ଲୋକ ।