ଅବତରଣର ୧୦ ସେକେଣ୍ଡ ପୂର୍ବରୁ ପ୍ଲେନ କ୍ରାସ୍ … ଚୀନ ସହାୟତାରେ ନିର୍ମାଣ ହୋଇଥଲା ବିମାନବନ୍ଦର। ୧୪ ଦିନ ପୂର୍ବରୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀା

5,905

କନକ ବ୍ୟୁରୋ: ନେପାଳ ପୋଖରାରେ ରବିବାର ୟତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଙ୍କ ସମେତ ୭୨ ଜଣ ସବାର ଥିଲେ । ୟତି ଏୟାରଲାଇନ୍ସର ଏଟିଆର-୭୨ ପୋଖରା ଏୟାରପୋର୍ଟ ପହଞ୍ଚିବାର ୧୦ ସେକେଣ୍ଡ ପୂର୍ବରୁ ଦୁର୍ଘଟଣାର ସାମ୍ନା କରିଛି । ନେପାଳର ପୋଖରା ଏୟାରପୋର୍ଟର ଉଦଘାଟନ ୧୪ ଦିନ ପୂର୍ବରୁ ହିଁ ଉଦଘାଟିତ ହୋଇଥିଲା ।

ପୋଖରା ଏୟାରପୋର୍ଟର ନିର୍ମାଣ ଚୀନର ସାହାଯ୍ୟରେ ହୋଇଛି । ଚୀନର ଏକଜିମ୍ ବ୍ୟାଙ୍କ ଏହାର ନିର୍ମାଣ ପାଇଁ ନେପାଳକୁ ଋଣ ପ୍ରଦାନ କରିଛି । ଏହି ବିମାନବନ୍ଦରର ଉଦଘାଟନ ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ ଜାନୁଆରୀ ୧ ତାରିଖରେ କରିଥିଲେ । ଏହା ଛଡା ଆଉ ଗୋଟିଏ ସୂଚନା ମିଳିଛି ଯେ ଯେଉଁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା ତାହା ଉଦଘାଟନ ଦିନ ଡେମୋ ଫ୍ଲାଏ କରିଥିଲା ।

ପୋଖରା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ୟତି ଏୟାରଲାଇନ୍ସର ଏହି ବିମାନ ରନୱେରୁ ମାତ୍ର ୧୦ ସେକେଣ୍ଡ ଦୂରରେ ରହିଥିଲା । ଏହି ସମୟରେ ହିଁ ବିମାନ କ୍ରାସ୍ ହୋଇଥିଲା । ଏଟିସି କର୍ମଚାରୀଙ୍କ ମୁତାବକ, ପୋଖରାର ରନୱେ ପୂର୍ବ-ପଶ୍ଚିମ ଦିଗରେ ନିର୍ମାଣ ହୋଇଛି । ବିମାନର ପାଇଲଟ ପ୍ରଥମେ ପୂର୍ବ ଦିଗରୁ ଲାଣ୍ଡିଂ ପାଇଁ ଅନୁମତି ମାଗିଥିଲେ । ସେତେବେଳେ ତାଙ୍କୁ ଏଥିପାଇଁ ଅନୁମତି ମଧ୍ୟ ମିଳିଥିଲା । ତେବେ କିଛି ସମୟ ପରେ ପାଇଲଟ ପଶ୍ଚିମ ଦିଗରୁ ଲାଣ୍ଡିଂ ପାଇଁ ଅନୁମତି ମାଗିଥିଲେ । ତାଙ୍କୁ ଏଥିପାଇଁ ମଧ୍ୟ ଅନୁମତି ଦିଆଯାଇଥିଲା । ସିଭିଲ ଆଭିଏସନ ଅଥରିଟିଙ୍କ ସୂଚନା ଅନୁସାରେ ଲାଣ୍ଡିଂର ଠିକ୍ ପୂର୍ବରୁ ବିମାନ ନିଆଁ ଲାଗିଯାଇଥିଲା । ଏଥିପାଇଁ ପାଣିପାଗ ଖରାପ ହେବା କାରଣରୁ ଦୁର୍ଘଟଣା ହୋଇଛି ତାହା କହିବା ଠିକ ନୁହେଁ ।

ନେପାଳରେ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି । କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଏକ ପାଞ୍ଚ ସଦସ୍ୟ ବିଶ୍ଚିଷ୍ଟ ଯାଞ୍ଚ କମିଟିର ଗଠନ କରାଯାଇଛି ।

ସେହିଭଳି ସୂଚନା ଅନୁସାରେ ୟତି ଏୟାରଲାଇନ୍ସର ଏଟିଆର-୭୨ ବିମାନ କାଠମାଣ୍ଡୁର ପୋଖରା ପାଇଁ ଉଡାଣ ଆରମ୍ଭ କରିଥିଲା । ଏଥିରେ ୭୨ ଜଣ ସବାର ଥିବା ବେଳେ ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ର୍ୟୁ ମେମ୍ବର ରହିଥିଲେ । ବିମାନ ପୋଖରା ନିକଟରେ କ୍ରାସ୍ ହୋଇଯାଇଥିଲା । ନେପାଳ ଗଣମାଧ୍ୟମର ସୂଚନା ଅନୁସାରେ ପୋଖରାର ପୁରୁଣା ବିମାନ ବନ୍ଦର ଏବଂ ନୂଆ ଅନ୍ତର୍ଜାତୀୟ ଏୟାରପୋର୍ଟ ମଝିରେ ହୋଇଥିଲା ।