ମହଙ୍ଗା ପଡ଼ିଲା ମୃତ୍ୟୁର ମିଛ ନାଟକ। ଶ୍ରମିକଙ୍କୁ ମୁମ୍ବାଇରୁ ଗିରଫ କଲା ଗଜପତି ପୁଲିସ।

142

କନକ ବ୍ୟୁରୋ: ମୃତ୍ୟୁର ୧୦ ଦିନ ପରେ ଆସିଲା ଦାଦନ ଶ୍ରମିକଙ୍କ ଜୀବିତ ଥିବା ଖବର । ଗଜପତିରୁ ଦାଦନ ଖଟିବାକୁ ଯାଇଥିବା ଶରତ ପରିଚ୍ଛାକୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଖବର ମିଛ, ଆଉ ମୃତ୍ୟୁର ନାଟକ ନିଜେ ରଚିଥିଲା ଶରତ । ଗଜପତି ପୁଲିସ ମାମଲାର ପର୍ଦ୍ଦାଫାସ କରିବା ପରେ ଆସିଛି କାହାଣୀରେ ନାଟକୀୟ ମୋଡ଼ । ପରକୀୟା ପ୍ରୀତି ପାଇଁ ନିଜ ସ୍ତ୍ରୀ ଠାରୁ ଅଲଗା ହେବାକୁ ଚାହୁଁଥିଲା ଶରତ । ଆଉ ସେଇଥିପାଇଁ ନିଜ ମୃତ୍ୟୁର ନିଜେ ମିଛ ନାଟକ ରଚିଥିଲା । ମୁମ୍ବାଇରୁ ଗିରଫ କରି ଶରତକୁ ଓଡ଼ିଶା ଆଣିଛି ଗଜପତି ପୁଲିସ ।

ଗତ ୫ ତାରିଖରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବାରିଆପଦା ଗାଁର ଦାଦନ ଶ୍ରମିକ ଶରତ ପରିଚ୍ଛାକୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ଅଭିଯୋଗ ଅନୁସାରେ ଶରତଙ୍କ ଦେଢ଼ଶାଶୁଙ୍କ ନିକଟକୁ ଆସିଥିଲା ଭିଡିଓ କଲ୍, ଯେଉଁଥିରେ ଥିଲା ଶରତଙ୍କ ମୃତଦେହର ଫଟୋ । କିଛି ଦୁର୍ବୃତ ତାଙ୍କ ନିର୍ଯାତନା ଦେଇ ହତ୍ୟା କରିଥିବା କୁହାଯାଇଥିଲା । ଅଡ଼ବା ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର । ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ଗଜପତି ପୁଲିସ । ଯେଉଁ ନମ୍ବରରୁ ଫୋନ ଆସିଥିଲା, ତାକୁ ଟ୍ରାକିଂ କରିବା ପରେ ମୁମ୍ବାଇ ଲୋକେସନ୍ ଦେଖାଇବାରୁ ସନ୍ଦେହ ବଢ଼ିଥିଲା । ତଦନ୍ତ ପରେ ଯାହା ଜଣା ପଡିଥିଲା, ତାହା ଚମକାଇ ଦେବା ଭଳି । ଶରତ ଜୀବିତ ଥିବା ଏବଂ ସେ ମୁମ୍ବାଇର ଏକ ମାଛ ମାର୍କେଟରେ କାମ କରୁଥିବା ଜାଣିବାକୁ ମିଳିଥିଲା । ପୁଲିସ ସନ୍ଦେହ କରୁଛି, ପରକୀୟା ପ୍ରୀତି ଓ ଋଣଭାରରୁ ମୁକ୍ତି ପାଇବା ପାଇଁ ମୃତ୍ୟୁର ନାଟକ କରିଥିଲା ଶରତ ।

ଶରତ ବିବାହିତ ଏବଂ ତା’ର ୩ଟି ସନ୍ତାନ ଅଛନ୍ତି । ମୁମ୍ବାଇରେ ଜଣେ ଓଡ଼ିଆ ଝିଅ ସହ ସେ ଏକତରଫା ପ୍ରେମ କରୁଥିଲା । ପୂର୍ବରୁ ବିବାହିତ ହୋଇଥିବାରୁ ନୂଆ ସମ୍ପର୍କ ଆଗକୁ ବଢ଼ି ପାରୁନଥିଲା । ତେଣୁ ପିଲା ଛୁଆଁଙ୍କ ଠାରୁ ଦୂରେଇ ଯିବାକୁ ମୃତ୍ୟୁର ମିଛ ନାଟକ ରଚିଥିଲା । କିନ୍ତୁ ଏହିସବୁ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଛି ଶରତ ।

କିନ୍ତୁ ଏହି ମିଛ ନାଟକରେ ସଫଳ ହୋଇନାହିଁ ଶରତ । ମାତ୍ର ୧୦ ଦିନ ମଧ୍ୟରେ ସତ ସାମ୍ନାକୁ ଆଣିବାରେ ସକ୍ଷମ ହୋଇଛି ଗଜପତି ପୁଲିସ । ଶରତକୁ ଗିରଫ କରି ଓଡ଼ିଶା ଆଣିବା ପରେ କୋର୍ଟ ଚାଲାଣ କରାଯାଇଛି ।