ଓଡ଼ିଶା ଉପରେ ଗୁଇନ୍ଦା ପାରାର ନଜର! ପାରାଦୀପ ପରେ ଅସ୍ତରଙ୍ଗରେ ସନ୍ଦିଗ୍ଧ ପାରା।

137

କନକ ବ୍ୟୁରୋ: ପୁଣି ଏକ ସନ୍ଦିଗ୍ଧ ପାରା ଧରାପଡ଼ିବା ପରେ ଏହାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ବଢ଼ିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧୀନରେ ଥିବା ନାନପୁର ପତିସାହିରୁ ଉଦ୍ଧାର ହୋଇଛି ଏକ ସନ୍ଦିଗ୍ଧ ପାରା । ଗାଁର ଜଣେ ବ୍ୟକ୍ତି କିଛି ପାରା ପୋଷି ଥିବା ବେଳେ ସନ୍ଦିଗ୍ଧ ପାରାଟି ପ୍ରାୟ ୧୦ ଦିନ ହେଲା ଆସୁଥିବା ଦେଖିବାକୁ ମିଳିଥିଲା । ସନ୍ଦିଗ୍ଧ ପାରାକୁ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଅସ୍ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରାକୁ ଜବତ କରିଥିଲା । ପାରାର ଦୁଇଟି ଗୋଡରେ ପିତଳ ଓ ଧଳା ରଙ୍ଗର ଦୁଇଟି ରିଙ୍ଗ ଲାଗିଛି । ପିତଳ ରିଙ୍ଗରେ ଇଂରାଜୀରେ କିଛି ଅକ୍ଷର ଲେଖାଯାଇଥିବା ବେଳେ ପ୍ଲାଷ୍ଟିକ ରିଙ୍ଗରେ ୩୧ ଲେଖାଯାଇଛି । ତେଣୁ ଏହିି ପାରାକୁ କୌଣସି ଗୁପ୍ତଚର କାମରେ ଲଗାଯାଇଥିବା ସନ୍ଦେହ କରାଯାଉଛି ।

ପାରାକୁ ପ୍ରଥମେ ଥାନାକୁ ଅଣାଯାଇଥିଲା । ପରେ ଏହି ପାରାକୁ ଅସ୍ତରଙ୍ଗ ବନବିଭାଗର ଫରେଷ୍ଟରଙ୍କୁ ହସ୍ତାନ୍ତର କରାଯାଇଛି । ଅସ୍ତରଙ୍ଗ ପଶୁ ଡାକ୍ତରଖାନାରେ ପାରାର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି, ସ୍ୱାସ୍ଥ୍ୟ ଠିକ୍ ଥିବା ସୂଚନା ମିଳିଛି । ପରେ ଅଧିକ ତଦନ୍ତ ପାଇଁ ବନବିଭାଗ କାର୍ଯ୍ୟାଳୟକୁ ପାରାକୁ ନିଆଯାଇଛି ।

ହେଲେ ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ପାରାଙ୍କୁ ଆଜିର ଯୁଗରେ ବି ଗୁଇନ୍ଦାଗିରିରେ ଲଗାଯାଉଛି? ଗୁଇନ୍ଦାଗିରି କରିବାକୁ କିଛି ସ୍ୱତନ୍ତ୍ର ପାରାଙ୍କୁ ଚୟନ କରାଯାଇଥାଏ, ଏହାସହ ପାରାଙ୍କୁ ଠାବ କରିବା ମଧ୍ୟ ଏତେ ସହଜ ନୁହେଁ । କିଛି ଦିନ ତଳେ ପାରାଦୀପରୁ ଏକ ସନ୍ଦିଗ୍ଧ ପାରା ମିଳିଥିଲା । ଏହି ପାରା ଗୋଡ଼ରେ କ୍ୟାମେରା ଓ ଶରୀରରେ ବିଦେଶୀ ଭାଷାରେ କିଛି ଲେଖା ରହିଥିଳା । ତେଣୁ ଏହା ଏକ ଗୁଇନ୍ଦା ପାରା ବୋଲି ସନ୍ଦେହ କରାଯାଇ ତଦନ୍ତ କରାଯାଉଛି । ଅନ୍ୟପଟେ ଏବେ ଅସ୍ତରଙ୍ଗରେ ଏହି ପାରା ମିଳିବା ଚିନ୍ତା ବଢ଼ାଇଦେଇଛି ।