ବାବୁଙ୍କ ବଦଳି ନାହିଁ । ଗୋଟିଏ ବିଭାଗ ଦାୟିତ୍ୱରେ ବର୍ଷ ବର୍ଷ ଧରି ଅଛନ୍ତି ଏକାଧିକ ଆଇଏଏସ୍ ଅଧିକାରୀ ।

ବିଧାନସଭାରେ ସରକାର ଲିଖିତ ଉତ୍ତର ରଖିବା ପରେ ଘେରିଲେ ବିରୋଧୀ

169

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅଧୀନରେ, ଏମିତି କେତେ ଜଣ ଆଇଏଏସ ଅଧିକାରୀ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଅଛନ୍ତି । ପ୍ରମୁଖ ବିଭାଗଗୁଡିକର ସଚିବ ପଦରେ ଅଛନ୍ତି । କିନ୍ତୁ ବର୍ଷ ବର୍ଷ ରହିବା ପରେ ବି ସେମାନଙ୍କର ବଦଳି ହେଉନାହିଁ । ଏକ ଲିଖିତ ପ୍ରଶ୍ନର ଉତ୍ତରରେ, ସରକାର ସେମିତି କିଛି ଅଫିସରଙ୍କ ତାଲିକା ଦେବା ପରେ, ଘେରିଛନ୍ତି ବିରୋଧୀ । ଜଣେ ଜଣେ ଅଫିସର ଗୋଟିଏ ବିଭାଗରେ ଦୀର୍ଘଦିନ ଧରି ରହି ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ଜି. ମାଥିଭାଥନନ୍

  • ସଂସଦୀୟ ବ୍ୟାପାର ବିଭାଗ ସଚିବ- ୨୦୧୦ରୁ ଆଜିଯାଏ (୧୩ ବର୍ଷ)
  • ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ- ୨୦୧୪ରୁ ଆଜିଯାଏ (୯ ବର୍ଷ)

୩ ବର୍ଷରୁ ଅଧିକ ସମୟ ଗୋଟିଏ ବିଭାଗରେ ଥିବା ଅଫିସର

  • ମୋନା ଶର୍ମା- ଜଙ୍ଗଲ ଓ ପରିବେଶ ବିଭାଗ ସଚିବ
  • ହେମନ୍ତ ଶର୍ମା- ଶିଳ୍ପ ବିଭାଗ ସଚିବ
  • ଭାସ୍କର ଜ୍ୟୋତି ଶର୍ମା- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ
  • ବୀର ବିକ୍ରମ ଯାଦବ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ
  • ମନୋଜ ମିଶ୍ର- ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ

ରାଜ୍ୟରେ ଗୋଟିଏ ବିଭାଗରେ ୩ ବର୍ଷରୁ ଅଧିକ ସମୟ ଧରି କାମ କରୁଥିବା ସଚିବଙ୍କ ତାଲିକା ମାଗିଥିଲେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ବିଧାନସଭାରେ ଏହି ଲିଖିତ ପ୍ରଶ୍ନର ଉତ୍ତର ରଖି ଏକ ତାଲିକା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ତଥ୍ୟ ଆଧାରରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜଣେ ଜଣେ ଅଫିସର ଗୋଟିଏ ବିଭାଗରେ ଦୀର୍ଘଦିନ ଧରି ରହି ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ।

କେବଳ ସଚିବ ନୁହନ୍ତି ଜିଲ୍ଲାପାଳ ମଧ୍ୟ ଦୀର୍ଘଦିନ ଧରି ଗୋଟିଏ ଜିଲ୍ଲାରେ ରହିବା ଫଳରେ ପୋଷ୍ଟିଂ ଓ ଟ୍ରାନ୍ସଫର ନିୟମର ଉଲ୍ଲଂଘନ ହେଉଥିବା କହିଛନ୍ତି ବିରୋଧୀ । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ମଧ୍ୟ ଅନେକ ବର୍ଷଧରି ଗୋଟିଏ ଜିଲ୍ଲାରେ ରହିଥିବା କହିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାବୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବୁକ୍ ସର୍କୁଲାର ୪୭କୁ ଅଧିକାରୀମାନେ ଅମାନ୍ୟ କରିବା ସହ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅବମାନନା କରୁଛନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକଙ୍କୁ ନିଯୁକ୍ତି କରୁନାହାନ୍ତି ସରକାର । ହେଲେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ବାବୁମାନେ ଖାଲି ବର୍ଷବର୍ଷ ଧରି ଗୋଟିଏ ବିଭାଗରେ ଅଛନ୍ତି ତାହା ନୁହେଁ, ଅନେକ ଅଧିକାରୀଙ୍କ ପାଖରେ ଏକାଧିକ ବିଭାଗର ଦାୟିତ୍ୱ ମଧ୍ୟ ରହିଛି । ପଂଚାୟତିରାଜ ବିଭାଗ ସଚିବ ସହ ସୁଶୀଲ ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଅଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ଟ୍ରାନ୍ସପୋର୍ଟ କମିଶନର ଦାୟିତ୍ୱରେ ଅଛନ୍ତି ।