ଆଖି ଝଲସିଲା ଭଳି ଉଦଘାଟନୀ ଉତ୍ସବ । ବାରବାଟୀରୁ ବିଶ୍ୱ ଦେଖିଲା ଓଡିଶାର ଶକ୍ତି ।

107

କନକ ବ୍ୟୁରୋ: ଆଖି ଝଲସିଲା ଭଳି ଉଦଘାଟନୀ ଉତ୍ସବର ଆୟୋଜନ କରି ପ୍ରଶଂସା ସାଉଣ୍ଟୁଛନ୍ତି ଓଡିଶା ସରକାର । ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପର ଆୟୋଜନ କରି ଓଡିଶା ସରକାର ଏହାକୁ ଏକ ବିରାଟ ମହୋତ୍ସବରେ ପରିଣତ କରିଛନ୍ତି । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

  • ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ
  • ବିଶ୍ୱ ଦେଖିଲା ଓଡିଶାର ଶକ୍ତି

ସାରା ବିଶ୍ୱକୁ ଚମକାଇ ଦେଇଛି କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ ପାଇଁ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ହକି ଉଦଘାଟନୀ ଉତ୍ସବ ଜରିଆରେ ଶକ୍ତି ପ୍ରଦର୍ଶନ କରିଛି ଓଡି଼ଶା । ଷ୍ଟାଡିୟମରେ ୩୦ ହଜାରରୁ ଅଧିକ ଦର୍ଶକ, ଟିଭି ପରଦାରେ ଅଗଣିତ ହକିପ୍ରେମୀ ଓଲିଉଡ ଓ ବଲିଉଡ କଳାକାରଙ୍କ ନୃତ୍ୟ, ଗୀତରେ ଆମୋଦିତ ହୋଇଛନ୍ତି । ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଆୟୋଜିତ କାର୍ଯ୍ୟକ୍ରମ ଜରିଆରେ ବିଶ୍ୱ କ୍ରୀଡା ଇତିହାସରେ ନିଜର ସ୍ୱାକ୍ଷର ଛାଡିଛି ଓଡିଶା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଓଡି଼ଶା ତାର ଆତିଥେୟତାକୁ ନେଇ ପ୍ରସିଦ୍ଧ । ହକି ବିଶ୍ୱକପର ଆୟୋଜନ ଅବସରରେ ଓଡ଼ିଶାକୁ ଆସିଥିବା ଅତିଥିମାନେ ଏହି ପରିଚୟକୁ ଆହୁରି ଆଗକୁ ନେବାରେ ସହାୟକ ହେବେ’ । ଏପରିକି ଦ୍ୱିତୀୟଥର ହକି ବିଶ୍ୱକପ ଆୟୋଜନ ପାଇଁ ସହଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡି଼ଶାର ଏଭଳି ଭବ୍ୟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ‘ହକି ବିଶ୍ୱକପ ଆୟୋଜନ ଭାରତ ପାଇଁ ଗୌରବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ କ୍ଷେତ୍ରରେ ଅବଦାନ ସଂଘୀୟ ବ୍ୟବସ୍ଥାର ପ୍ରମାଣ’ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ତର୍ଜାତୀୟ ହକି ଫେଡେରସନର ସଭାପତି ମହମ୍ମଦ ତୟବ ଇକ୍ରାମ ମଧ୍ୟ ବିଶ୍ୱକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ‘ସଂସ୍କୃତିର କ୍ଷେତ୍ର ଭାବେ ଆମେ ଓଡି଼ଶାକୁ ଜାଣିଥିଲୁ । କିନ୍ତୁ ଆଜି ମୁଁ ଓଡିଶାକୁ ହକିର କ୍ଷେତ୍ର ଭାବେ ଘୋଷଣା କରୁଛି’ ।

ହକି ବିଶ୍ୱକପର ଆୟୋଜକ ଭାବେ ବିରାଟ ବଡ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଲଗାତର ଦ୍ୱିତୀୟଥର ପାଇଁ ହକି ପୁରୁଷ ବିଶ୍ୱକପର ଆୟୋଜନ କରି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏକକାଳୀନ ୨ଟି ଭେନ୍ୟୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ବିଶ୍ୱକପ ଆୟୋଜନ କରିବାକୁ ଯାଉଛନ୍ତି । ଭାରତୀୟ ହକି ଟିମର ପ୍ରାୟୋଜକ ଥିବା ଓଡିଶା ସରକାର ହକି ବିଶ୍ୱକପର ଆୟୋଜନ କରି ଏହାକୁ ଏକ ବିରାଟ ମହୋତ୍ସବରେ ପରିଣତ କରିଛନ୍ତି । ଓଡିଶାର ଘରେ ଘରେ ହକିକୁ ନେଇ ଚର୍ଚ୍ଚା ଆଲୋଚନା ହେଉଥିବାବେଳେ ସାରାବିଶ୍ୱରେ ଓଡିଶାର ହକି ଆୟୋଜନକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।