ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା। ମହାଲିଙ୍ଗ କଲେଜ ପ୍ରିନ୍ସିପାଲ ଓ ଅଧ୍ୟାପକଙ୍କୁ ଗିରଫ ପରେ କୋର୍ଟ ଚାଲାଣ।

224

କନକ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା ମମିତା ମେହେର ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଫେରିଛି । ଏହି ବିଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ପୁଣି ଉଦ୍ୟମ ହେଉଛି । ମହାଲିଙ୍ଗ କଲେଜର ପ୍ରିନ୍ସପାଲ ଓ ଶିକ୍ଷକ ଗିରଫ ହୋଇଛନ୍ତି । ସାକ୍ଷୀଙ୍କୁ ପ୍ରଭାବିତ ଉଦ୍ୟମ ଅଭିଯୋଗରେ ବାନ୍ଧିଛି ପୁଲିସ ।

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମହାଲିଙ୍ଗ କଲେଜର ପ୍ରିନ୍ସପାଲ ଓ ଜଣେ ଶିକ୍ଷକଙ୍କୁ ଗିରଫ କରିଛି କଂଟାବାଞ୍ଜି ପୁଲିସ । ମହାଲିଙ୍ଗ ପ୍ଲସଟୁ କଲେଜର ପ୍ରିନ୍ସିପାଲ ରଞ୍ଜିତ ସାହୁ ଓ ଶିକ୍ଷକ କୃତି ଚନ୍ଦନଙ୍କୁ ଗିରଫ କରାଯାଇଛି । ସାକ୍ଷୀମାନଙ୍କୁ ପ୍ରଲୋଭିତ ଓ ପ୍ରଭାବିତ କରିଥିବା ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ନାଁରେ ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କ ବିରୋଧରେ ସାକ୍ଷ୍ୟ ନଦେବାକୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ମହାଲିଙ୍ଗର ଜଣେ ସାକ୍ଷୀଙ୍କ ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କଂଟାବାଞ୍ଜି ପୁଲିସ କୋର୍ଟ ଚାଲାଣ କରିଛି ।

କଂଟାବାଞ୍ଜି ଏଡିଜେ କୋର୍ଟରେ ମମିତା ମେହେର ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ ସମୟରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୟାନ ରେକର୍ଡ ବେଳେ ସାକ୍ଷୀ ଓ ଅଭିଯୁକ୍ତଙ୍କ ଆଗରେ ଏକ କପଡାର ପରଦା ଝୁଲାଯାଉଛି । କୋର୍ଟ ରୁମରେ ଗୋବିନ୍ଦ ଓ ରାଧେଶ୍ୟାମ ରହୁଛନ୍ତି । ଗୋବିନ୍ଦଙ୍କ ପ୍ରତିପତି ଓ କ୍ଷମତା ଦେଖିଥିବାରୁ ମହାଲିଙ୍ଗର ସାକ୍ଷୀ ବୟାନ ଦେବାକୁ ରାଜି ହେଉନାହାନ୍ତି । ଗୋବିନ୍ଦ ତା ବିରୋଧରେ ସାକ୍ଷ୍ୟଦେବା ଦେଖିଲେ ଆଗକୁ ଅସୁବିଧା ହେବ ବୋଲି ସେମାନେ ଭୟ କରୁଛନ୍ତି । ତେଣୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସାକ୍ଷୀଙ୍କ ମଧ୍ୟରେ ଏକ କପଡାର ପରଦା ଝୁଲାଯାଉଥିବା ସୂଚନା ରହିଛି । କଂଟାବାଞ୍ଜି ଏଡିଜେ କୋର୍ଟରେ ମମିତା ମେହେର ମାମଲାର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆଗକୁ ମଧ୍ୟ ଜାରିରହିବ । ହେଲେ ମହାଲିଙ୍ଗ ଅଂଚଳର ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସମୟରେ ଏମିତି ପରଦା ଝୁଲାଯିବ ବୋଲି ସୂଚନା ରହିଛି ।