ସୁସ୍ଥ ଅଛି କନ୍ଧମାଳର ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା। ୮ ବର୍ଷର ଜଗା କେବେ ଯିବ ସ୍କୁଲ, ଉଠିଲା ପ୍ରଶ୍ନ। 

78

କନକ ବ୍ୟୁରୋ: ୮ବର୍ଷ ହେଲାଣି କିନ୍ତୁ ଏଯାଏଁ ସ୍କୁଲ ଯାଇପାରୁନି ଜଗା । ପିଲାର ବୟସ ବଢୁଥିବା ବେଳେ ସେ କେବେ ପାଠ ପଢିବ, ତାକୁ ନେଇ ଏବେ ଚର୍ଚା ହେଉଛି । କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା ଅପରେସନ ହୋଇଛି । ୨୦୧୭ ଅକ୍ଟୋବର ମାସରେ ଦିଲ୍ଲୀ ଏମସରେ ଦୁଇ ଭାଇ ଜଗା-କାଳିଆଙ୍କ ମୁଣ୍ଡ ଅଲଗା କରାଯାଇଥିଲା । ଏହି ଅପରେସନ ପରେ ବେଶ କିଛି ବର୍ଷ ହେଲା ଜଗାର ଚିକିତ୍ସା ଜାରି ରହିଛି । ଏବେ କନ୍ଧମାଳ ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନ୍ରେ ତାର ଚିକିତ୍ସା କରାଯାଉଛି । ଜଗା କ୍ୟାବିନରୁ ବାହାରି ଖେଳାଖେଳି କରୁଛି । ସ୍ୱାଭାବିକ ଶିଶୁଙ୍କ ଭଳି ବାପାଙ୍କ ସହ ବାହାରେ ବୁଲାବୁଲି ମଧ୍ୟ କରୁଛି । ବାପାଙ୍କ ସହ ବେଳେ ବେଳେ ଡାକ୍ତରଖାନା ବାହାରକୁ ଯାଉଛି । ପାର୍କ, ମନ୍ଦିର ଓ ବଜାରକୁ ବି ଯାଉଛି ।

ଏହାରି ଭିତରେ ଜଗାକୁ ୮ ବର୍ଷ ହେଲାଣି କିନ୍ତୁ ସେ ଏଯାଏଁ ବିଦ୍ୟାଳୟ ମାଟି ମାଡି ନାହିଁ । ସେ କେବେ ସ୍କୁଲ ଯିବ, ଆଗାମୀ ଦିନରେ କଣ ହେବ ତାର ଭବିଷ୍ୟତ । ଏହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜଗାର ବାପା କହିଛନ୍ତି, ଜଗା ଏବେ ପ୍ରାୟତଃ ସଂପୂର୍ଣ୍ଣ ସୁସ୍ଥ ଅଛି । ଆଉ ଏକ ଅପରେସନ୍ ପରେ ତା’ମୁଣ୍ଡରୁ କେବେ ହେଲମେଟ୍ କଢା ଯିବ ତାକୁ ଅପେକ୍ଷା କରାଯାଇଛି । ସେପଟେ ମାଆ କହିଛନ୍ତି, ଜଗା ମୁଣ୍ଡରେ ଲାଗିଥିବା ହେଲମେଟ୍ ଭାଙ୍ଗି ଯାଇଛି । ତାକୁ ସଜାଡି ଜଗା ମୁଣ୍ଡରେ ଲଗାଯାଇଛି । ଜଗା ସମ୍ପର୍କରେ ପ୍ରତିକ୍ରିୟା ରଖି, କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଦୁଇ ମାସ ତଳେ ଦିଲ୍ଲୀର ଏମସ ଡାକ୍ତରମାନେ କଟକ ବଡ ମେଡିକାଲରେ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସମୟାନୁକ୍ରମେ ତା’ ମୁଣ୍ଡର ଦ୍ୱିତୀୟ ଅପରେସନ୍ କରାଯାଇ ହେଲମେଟ୍ କଢାଯିବ ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।