‘ଦ କଶ୍ମୀର ଫାଇଲ୍ସ’କୁ ନେଇ ମମତାଙ୍କ ଟିପ୍ପଣୀ । ବୟାନକୁ ନେଇ ତେଜିଲା ବିବାଦ, ମୁଖ୍ୟମନ୍ତ୍ରୀ ମମତାଙ୍କୁ ଫିଲ୍ମ ନିର୍ମାତାଙ୍କ ନୋଟିସ୍

290

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ମଧ୍ୟରେ ତିକ୍ତତା ସାମ୍ନାକୁ ଆସିଛି । ଯାହା କୈାଣସି ବ୍ୟକ୍ତିଗତ କାରଣକୁ ନେଇ ନୁହେଁ । ‘ଦ କଶ୍ମୀର ଫାଇଲ୍ସ’ଫିଲ୍ମକୁ ନେଇ ମମତା ବାନାର୍ଜୀଙ୍କ ଦେଇଥିବା ବୟାନକୁ ନେଇ ବିବାଦ ଦେଖାଦେଇଛି । ଫିଲ୍ମକୁ ନେଇ ମମତାଙ୍କ ବୟାନ ପରେ ଫିଲ୍ମର ନିର୍ମାତା ବିବେକ ଅଗ୍ନିହୋତ୍ରୀ ମମତାଙ୍କୁ ନୋଟିସ ପଠାଇଥିବା ଜଣାପଡ଼ିଛି । ତେବେ ସୋମବାର ‘ ଦ କେରଳ ଷ୍ଟୋରୀ’କୁ ପଶ୍ଚିମବଙ୍ଗରେ ପ୍ରଦର୍ଶନ ପାଇଁ ବ୍ୟାନ କରିଛନ୍ତି ମମତା । ଏହି ଅବସରରେ ‘ଦ କଶ୍ମୀର ଫାଇଲ୍ସ’ ଓ ଅପକମିଙ୍ଗ ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’କୁ ନେଇ ଟିପ୍ପଣୀ ଦେଇଛନ୍ତି । କଶ୍ମିର ଫାଇଲ୍ସ ଫିଲ୍ମ ସମାଜର ଏକ ବର୍ଗକୁ ଅପମାନିତ କରିବା ପାଇଁ ତିଆରି ହୋଇଛି । ଏହା ସହ ୨୦୨୪ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଦ ଦିଲ୍ଲୀ ଫାଇଲ୍ସ’ରେ ବିବେକ ଅଗ୍ନିହୋତ୍ରୀ କାମ କରୁଛନ୍ତି ଯେଉଁଥିପାଇଁ ବିଜେପି ଠାରୁ ତାଙ୍କୁ ଅର୍ଥନୈତିକ ସୁବିଧା ମିଳୁଛି ବୋଲି କହିଛନ୍ତି ମମତା ବାନାର୍ଜୀ ।

ମମତାଙ୍କ ବୟାନ ପରେ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ମମତାଙ୍କୁ ଏକ ଲିଗାଲ୍ ନୋଟିସ ପଠାଇଛନ୍ତି । ଯାହାକୁ ସେ ଟ୍ୱିଇଟ ମଧ୍ୟ କରିଛନ୍ତି । ଫିଲ୍ମକୁ ଏବଂ ତାଙ୍କୁ ବଦନାମ କରିବା ପାଇଁ ମମତା ବାନାର୍ଜୀ ଭୁଲ୍ ତଥା ଅପମାନଜନକ ବୟାନ ଦେଇଥିବା ସେ ଦର୍ଶାଇଛନ୍ତି । ତେବେ ବିବେକ ଅଗ୍ନିହୋତ୍ରୀଙ୍କ ନୋଟିସକୁ ନେଇ ପ୍ରତିକ୍ରିୟା ରଖିଛି ଟିଏମସି । ନୋଟିସର ଜବାବ ସେମାନେ ଆଇନ ମାଧ୍ୟମରେ ଦେବେ ବୋଲି କୁହାଯାଇଛି । ମହିଳା ଏବଂ ସମାଜ କଲ୍ୟାଣ ମନ୍ତ୍ରୀ ଶଶି ପାଂଜା କହିଛନ୍ତି ଯିଏ ରାଜନୈତିକ ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି କରିବାକୁ ଚାହାଁନ୍ତି, ସେ କୈାଣସି ବି ଫିଲ୍ମ ନେଇ ଲୋକଙ୍କୁ ଉତେଜିତ କରପାରିବେ ନାହିଁ ।

କଶ୍ମୀର ଫାଇଲ୍ସକୁ ନେଇ ବିବାଦ କିଛି ନୂଆ କଥା ନୁହେଁ । ପୂର୍ବରୁ ବହୁ ବାର ଏହି ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି । ଏପରି ବହୁ ଫିଲ୍ମ ରହିଛି ଯାହାକୁ ନେଇ ଏବେ ରାଜନୀତି ସରଗରମ ରହୁଛି । ନିକଟରେ ରିଲିଜ ହୋଇଥିବା କେରଳ ଷ୍ଟୋରୀକୁ ନେଇ ମଧ୍ୟ ତେଜୁଛି ବିବାଦ ।