ଓଡିଶାରେ ରଦ୍ଦ ହେଲା ୫୧ ହଜାର ୨୬୦ ନକଲି ସିମ୍ କାର୍ଡ। ଅପରାଧ ରୋକିବାକୁ ପଦକ୍ଷେପ ନେଲା ଦୂରସଞ୍ଚାର ବିଭାଗ।

202

କନକ ବ୍ୟୁରୋ: ବାସ କିଛି ସମୟର କଥା ବାର୍ତ୍ତା ଆଉ ଏତିକି ହେଲା ପରେ, ମାତ୍ର କେଇ ମିନିଟରେ, ଆପଣଙ୍କ ଆକାଉଣ୍ଟ ଖାଲି ହୋଇସାରିଥିବ । କଲ ଆସିଥିବା ନମ୍ବରକୁ ଆପଣ ଯେତେ କଲ ବ୍ୟାକ୍ କଲେ ବି ଆଉ ସେ ନମ୍ବର ଲାଗିବନି । ସାଇବର ଠକଙ୍କ ଜାଲରେ ଫସିଥିବା ସମସ୍ତଙ୍କର ସମାନ କାହାଣୀ । ସାଇବର ଅପରାଧି ମାନେ ଲୁଟିବା ପୂର୍ବରୁ ନକଲି ସିମ୍ ବ୍ୟବହାର କରନ୍ତି । ଲୋକଙ୍କୁ ଠକିବା ପରେ ସେହି ସିମକୁ ଆଉ ବ୍ୟବହାର କରନ୍ତି ନାହିଁ । କିନ୍ତୁ ଏଣିକି ସାଇବର ଅପରାଧ ରୋକିବା ପାଇଁ ଅଣ୍ଟା ଭିଡିଛି ଦୂରସଂଚାର ବିଭାଗ ।

ସାଇବର ଅପରାଧ ରୋକିବା ପାଇଁ ଓଡିଶାର ସନ୍ଦିଗ୍ଧ ୫୧ ହଜାର ୨୬୦ ନକଲି ସିମ୍ କାର୍ଡ ରଦ୍ଦ କରିଛି ଦୂର ସଂଚାର ବିଭାଗ । ଏଥିସହ ୨ ହଜାର ୪୧୭ ସିମ୍ ବିକ୍ରେତାଙ୍କୁ କଳା ତାଲିକାଭୁକ୍ତ କରିଛି ବିଭାଗ । ଠକ ସିମ୍ ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଛି ଦୁର ସଂଚାର ବିଭାଗ ।

ନକଲି ସିମକୁ ଚିହ୍ନଟ ପାଇଁ ଦୂରସଞ୍ଚାର ବିଭାଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏ-ଆଇ ଆଧାରିତ ଫେସିଆଲ ରେକଗନାଇଜେସନ ଟୁଲ ବ୍ୟବହାର କରିଛି । ଓଡିଶାର ବିଭିନ୍ନ ଟେଲିକମ ଅପରେଟରଙ୍କ ଦ୍ୱାରା ଜାରି କରାଯାଇଥିବା ୫୨ ହଜାର ୮୮ ସନ୍ଦିଗ୍ଧ ମୋବାଇଲ ସଂଯୋଗକୁ ଏଏସଟିଆର ଚିହ୍ନଟ କରିଛି । ସେଥିରୁ ଜଣାପଡିଛି ଓଡିଶାରେ ୫୧ ହଜାର ୨୬୦ ନକଲି ସିମ୍ କାର୍ଡ ରହିଛି । ସେ ସବୁକୁ ରଦ୍ଦ କରିଛି ବିଭାଗ । ଜଣକ ନାଁରେ ୨୦୦ରୁ ୪୦୦ ସିମ୍ ଥିବା ବିଭାଗ କହିଛି ।

ସାରା ଭାରତରେ ୪୨ ଲକ୍ଷ ନକଲି ସିମ୍ ରଦ୍ଦ ହୋଇଛି । ତେବେ ଦୂର ସଂଚାର ବିଭାଗର ଏହି ପ୍ରୟାସ ସାଇବର ଠକାମୀ ରୋକିବାରେ ସହାୟକ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।