ଇମ୍ରାନ ଖାନ୍ ଗିରଫ ପରେ ପାକିସ୍ତାନ ସମେତ ବିଭିନ୍ନ ଦେଶରେ ରାସ୍ତାକୁ ଓହ୍ଲାଇଲେ ଇମ୍ରାନଙ୍କ ସମର୍ଥନ, ପାକିସ୍ତାନ ସେନା ଓ ସରକାର ବିରୋଧରେ ଉଗ୍ର ହେଉଛି ବିକ୍ଷୋଭ

171

କନକ ବ୍ୟୁରୋ : ୨୪ଘଂଟା ଭିତରେ ବଦଳିଛି ପାକିସ୍ତାନର ଚିତ୍ର । ଇମ୍ରାନଙ୍କୁ ତୁରନ୍ତ କରାଯାଉ ମୁକ୍ତ । ଏ ଦାବି ନେଇ ସବୁଠି ଶୁଭୁଛି ଇମ୍ରାନଙ୍କ ସମର୍ଥନରେ ନାରାବାଜୀ । ସମର୍ଥକ କରୁଛନ୍ତି ହୋହାଲ୍ଲା –ହଙ୍ଗମା । ସାରା ପାକିସ୍ତାନରେ ବଢୁଛି ବିରୋଧ ପ୍ରଦର୍ଶନ । କହିବାକୁ ଗଲେ ଅଭାବ ଭିତରେ ଗତି କରୁଥିବା ପାକିସ୍ତାନରେ ବର୍ତମାନ ଗୃହଯୁଦ୍ଧ ପରି ସ୍ଥିତି ଦେଖାଦେଇଛି । ରାଜଧାନୀ ଲାହୋରଠୁ ନେଇ ରାୱଲପିଣ୍ଡି । ବଡ ବଡ ସହରରେ ଇମ୍ରାନଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି । ପାକିସ୍ତାନ ସରକାରଙ୍କ ବିରୋଧରେ ତେଜୁଛି ବିକ୍ଷୋଭପ୍ରଦର୍ଶନ । ଗଭର୍ଣ୍ଣର ହାଉସ ଓ ସେନା ମୁଖ୍ୟାଳୟ ସମ୍ମୁଖରେ ସବୁଠୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଛି । ସମଗ୍ର ଦେଶରୁ ହିଂସା ଘଟଣାର ଆସୁଛି ଲୋମଟାଙ୍କୁରା ଚିତ୍ର । କେଉଁଠି ପୋଡାଜଳା ତ କେଉଁଠି ଭଙ୍ଗାରୁଚା । ଏହା ଭିତରେ ଜଳୁଛି ପାକିସ୍ତାନ । ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।ସେପଟେ ଇସଲାମାବାଦ ଗିରଫକୁ ବୈଧ କହି ଇମ୍ରାନ ଖାନଙ୍କୁୁ ଝଟକା ଦେଇଛନ୍ତି ।

ଇମ୍ରାନଙ୍କ ଗିରଫ ଘଟଣାରେ କେବଳ ପାକିସ୍ତାନ ଜଳୁନି । ବିଦେଶରେ ଥିବା ତାଙ୍କ ସମର୍ଥକ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି । ଟରୋଂଟ, ନ୍ୟୁୟର୍କ, ୱାଶିଂଟନ ଡିସି, ମାେଂଚଷ୍ଟର, ଚିକାକେଜା, ଡେଲାସ, ୱଲେସ ପାର୍ଲାମେଂଟ, ଲଣ୍ଡନରେ ଜୋରଦାର ପ୍ରଦର୍ଶନ ଆରମ୍ଭ ହୋଇଛି । ଏହି ସବୁ ଦେଶରେ ଥିବା ପାକିସ୍ତାନ ଦୂତାବାସ ବାହାରରେ ଜୋରଦାର ବିକ୍ଷୋଭ କରିଛନ୍ତି ଇମ୍ରାନଙ୍କ ସମର୍ଥକ । ଆକ୍ରୋଶିତ ସମର୍ଥକମାନେ ସେନା କମାଣ୍ଡରଙ୍କ ଘର ଉପରକୁ ଆକ୍ରମଣ କରିିଥିବା ମଧ୍ୟ ଜଣାପଡିଛି ।

ହିଂସା ଭିତରେ ଆଶ୍ଚର୍ଯ୍ୟ କରିବା ଭଳି ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି । ପାକିସ୍ତାନ ଜଳୁଥିବାବେଳେ ଲୁଟପାଟ ଘଟଣାର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । କେଉଁଠି ଖାଦ୍ୟ ଚୋରି କରୁଛନ୍ତି ଉପଦ୍ରବୀ ତ ପୁଣି କେଉଁଠି ସେନା ଅଧିକାରୀଙ୍କ ଘରେ ପଶି ଲୁଟପାତ କରୁଛନ୍ତି ବିକ୍ଷୋଭକାରୀ ।