ସୁପ୍ରିମକୋର୍ଟରେ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଲେ ମୋଦୀ

93

କନକ ବ୍ୟୁରୋ: ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ତେଜୁଛି ବିବାଦ । ଏହାରି ଭିତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ମୋଦୀ । ରାଷ୍ଟ୍ରପତି ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଉ ପଞ୍ଜାବ ସରକାରଙ୍କ ଆଭିମୁଖ୍ୟକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ଲୟର୍ସ ଭଏସ ନାମକ ସଂସ୍ଥା କୋର୍ଟରେ ପିଟିସନ ଦାଖଲ କରି ଶୁଣାଣି ପାଇଁ ନିବେଦନ କରିଛି । ଶୁକ୍ରବାର ଏହାର ଶୁଣାଣି ହେବ ବୋଲି ସୂଚନା ରହିଛି ।

ତେବେ ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଚ୍ୟୁତିି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ । ଆଉ ପଞ୍ଜାବରେ କଂଗ୍ରେସ ଏବେ ଏହି ପ୍ରସଙ୍ଗରେ ଏକ ଘରିକିଆ ହୋଇଥିବା ବେଳେ ବିଜେପି, ଆମ୍ ଆଦମୀ ପାର୍ଟି ଏହି ପ୍ରସଙ୍ଗରେ ଚନ୍ନି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତିା

ଯେଉଁ କୃଷି ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଅଡୁଆରେ ଥିଲେ । ଏବେ ସମାନ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାସ୍ତା ଅବରୋଧ କରିଥିଲେ ବୋଲି ଜଣାପଡିଛି । ସବୁଠୁ ବଡ କଥା ହେଲା ଭାରତୀୟ କିଷାନ ୟୁନିଅନ୍ ଏଥିପାଇଁ ନିଜକୁ ଦାୟୀ କରିଛି । ଆଉ ରାଜ୍ୟ ପୁଲିସର ସୂଚନା ଆଧାରରେ ସେମାନେ ରାସ୍ତା ଜାମ କରିଥିଲେ ବୋଲି କହିଛନ୍ତି । ଅନ୍ୟପଟେ ମୋଦୀଙ୍କ ରାଲି ବାତିଲ ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସ ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରିଛନ୍ତି । ଆଉ ବିଜେପି ସାରାଦେଶରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରିଛି ।

ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଚାଷୀ ପ୍ରସଙ୍ଗ ଉଠାଇ ବିଜେପି ବିରୋଧରେ ବଡ ପ୍ରସଙ୍ଗ କରିଥାନ୍ତା । ହେଲେ ଫିରୋଜପୁର ଘଟଣା କଂଗ୍ରେସକୁ ବ୍ୟାକଫୁଟକୁ ଠେଲି ଦେଇଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରି ତିନି ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।