ରାଜଧାନୀରେ ମରିଗଲା ମାନବିକତା: ସତ୍କାର ପାଇଁ ଝିଅର ଶବ ନେଇ ଯାଉଥିଲା ବାପା, ପିଲା ଚୋର କହି ପ୍ରବଳ ପିଟିଲେ ଲୋକେ

1,154

କନକ ବ୍ୟୁରୋ: ମଣିଷ କେତେ ହୃଦୟହୀନ ହୋଇପାରେ, ନିଜ ସୀମାକୁ ଟପି ଯାଇପାରେ ତାହା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅଂଚଳରେ । ନିଜ ଝିଅର ମୃତ୍ୟୁ ହୋଇଯିବା ପରେ ଅସହାୟ ବାପା ଜଣଙ୍କ ଯେତେବେଳେ କୌଣସି ଉପାୟ ନପାଇ ତାକୁ ଏକ ବ୍ୟାଗରେ ପୂରାଇ ପୋତିବାକୁ ନେଉଛି, ସେତିକିବେଳେ ଲୋକମାନେ ପିଲା ଚୋର ଭାବି ତାଙ୍କୁ ମାଡ ମାରୁଛନ୍ତି । ଶେଷରେ ପୋଲିସ ପହଁଚି ସତ ଜାଣିବା ପରେ ଲୋକଟି ନିସ୍ତାର ପାଇଥିଲା । ଯାହା ଆମ ସଭ୍ୟ ସମାଜ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ୱର ଖଣ୍ଡଗିରି ଛକରେ ଜଣେ ଲୋକକୁ ଘେରି ଯାଇଛନ୍ତି କିଛି । ଆଉ ନିଜେ ନିଜେ ସାଜିଛନ୍ତି ପୋଲିସ ଓ ବିଚାରପତି । ସବୁ ଯେମିତି ଠିକା ନେବା ଭଳି ଅସହାୟ ଲୋକ ଜଣଙ୍କୁ ମାଡ ମାରି ଚାଲିଛନ୍ତି । କାନଧରି ଉଠବସ୍ କରାଉଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ମାଡ ଖାଉଥିବା ବ୍ୟକ୍ତି ଜଣଙ୍କର ଅପରାଧ ହେଉଛି ସେ ତାଙ୍କର ୮ମାସର ଝିଅର ମୃତ ଦେହକୁ କୌଣସି ଏକ ସ୍ଥାନରେ ପୋତିବା ପାଇଁ ବ୍ୟାଗରେ ଭରି ନେବା । ପିଲା ଚୋର କହି ମାଡ ମାରି ଚାଲିଥିଲେ ନିଜକୁ ସମାଜ ରକ୍ଷକ ଭାବୁଥିବା ଏଭଳି କିଛି ଲୋକ ।

ବିଡମ୍ବନାର ବିଷୟ ହେଉଛି, ମାଡ ଖାଉଥିବା ବ୍ୟକ୍ତି ଜଣଙ୍କ ଜଣେ ଶ୍ରମିକ ଶ୍ରେଣୀର । ସେ ଆଇଗିଣିଆ ନିକଟ ଏକ ବସ୍ତିରେ ରୁହନ୍ତି । ଦୁର୍ଭାଗ୍ୟ ବସତଃ ଆଜି ତାଙ୍କ ଛୋଟ ଝିଅଟି ଅସୁସ୍ଥ ହୋଇପଡିଥିଲା । ତାପରେ ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିବା ପରେ ଅସହାୟ ବାପା କିଛି ଉପାୟ ନପାଇ ବ୍ୟାଗରେ ଭର୍ତି କରି ନେଉଥିଲେ । ଆଉ ଯିବା ସମୟରେ ଏମିତି ଅଘଟଣ ଘଟିଛି । ଏପରିକି ତାଙ୍କ ପତ୍ନୀ ଆସି ସବୁ ସତ କହିଥିଲେ ବି ସେମାନେ ଶୁଣି ନଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଶ୍ନ ଉଠୁଛି ଯଦି ପିଲା ଚୋର ବୋଲି ସନ୍ଦେହ ହେଲା, ଅଟକାଇଥିବା ଲୋକମାନେ ନିକଟରେ ଥିବା ଥାନାକୁ ନନେଇ ମାଡ ମାରିଲେ କାହିଁକି? ସତ କଥା ଜାଣିଲା ପରେ ବି ମୃତ ଝିଅର ଶବ ଶକ୍ରାର ପାଇଁ ସହଯୋଗ କରିଥିଲେ କି? ଯଦି ସହଯୋଗ କଲେନି ମାଡ ମାରିବାକୁ ଅଧିକାର ଦେଲା କିଏ?