ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା। ହଜାରରୁ ଉର୍ଦ୍ଧ ଲୋକଙ୍କ ପ୍ରାଣହାନୀ।

113

କନକ ବ୍ୟୁରୋ: ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ଗମ୍ଭୀର ରୂପ ଧାରଣ କରିଛି । ଗତ କିଛି ଦିନ ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ରାସ୍ତାଘାଟ ଘର ଦ୍ୱାରା ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଣ୍ଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ ସେମାନଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୦୧୦ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପରେ ପାକିସ୍ତାନରେ ଏହା ସବୁଠୁ ବଡ ବନ୍ୟା । ଏଥିରେ ୪ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ହଜାର କିଲୋମିଟର ରାସ୍ତା ଏବଂ ୧୫୭ଟି ସେତୁ ନଷ୍ଟ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଘର, ରାସ୍ତାଘାଟ, ବ୍ରିଜ୍ ମଧ୍ୟ ଧୋଇଯାଇଛି ।

ବନ୍ୟାରେ ଲୋକେ ପଶି ରହିଥିବା ବେଳେ ସେମାନଙ୍କୁ ରିଲିଫ୍ ଓ ଉଦ୍ଧାର ପାଇଁ ସେନାକୁ ନିଯୋଜିତ କରାଯାଉଛି । ସେହିପରି ପାଣି ଘେରରେ ଥିବା ଲୋକଙ୍କୁ ହେଲିକ୍ୟାପ୍ଟର ଜରିଆରେ ଉଦ୍ଧାର କରାଯାଉଛି । ପାକିସ୍ତାନର ସିନ୍ଧ, ଗିଲଗିତ, ବାଲୁଚିସ୍ତାନ ପ୍ରଭୃତି ସ୍ଥାନରେ ବନ୍ୟା ସ୍ଥିତି ଅଧିକ ଖରାପ ରହିଛି । ଏଠାରେ ଲକ୍ଷ ଲକ୍ଷ ଲୋକେ ଭୂମିହୀନ ହୋଇପଡିଛନ୍ତି । ଚଳିତବର୍ଷ ବନ୍ୟା କାରଣରୁ ୧୦୬୧ ଜଣ ପ୍ରାଣ ହରାଇ ସାରିଲେଣି । ଏହାରି ଭିତରେ ଆଜି ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବନ୍ୟା ପାଇଁ ଜରୁରୀ ବୈଠକ ଡାକିଛନ୍ତି ।

ମୁଦ୍ରାସ୍ପୀତି ବୃଦ୍ଧି ପାଇବା ପରେ ପାକିସ୍ତାନ କାଙ୍ଗାଳ ସ୍ଥିତିକୁ ଚାଲି ଆସିଛି । ପାକିସ୍ତାନୀବାସୀ ଦୁଇ ଓଳି ଖାଦ୍ୟ ପାଇଁ ଛଟପଟ ହେଉଥିବାବେଳେ ଏବେ ଅଭାବ ଭିତରେ ମୁଣ୍ଡ ଟେକିଛି ବନ୍ୟା ସମସ୍ୟା । କହିବାକୁ ଗଲେ ପାକିସ୍ତାନବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ସମସ୍ୟା ମାଡିଆସିଛି ।