ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ, ପୁରୀରେ ବୁଡିଲା ବଡଦାଣ୍ଡ

458

କନକ ବ୍ୟୁରୋ: ନୟାପଲ୍ଲି ସ୍ଥିତ ଇସ୍କନ ମନ୍ଦିର ବାହାରେ ଜମା ହୋଇଯାଇଥିଲା ବର୍ଷା ପାଣି । ରାସ୍ତା ଉପରେ ଲହଡି ଭାଂଗୁଥିଲା ୨ରୁ ୩ଫୁଟ ଉଚ୍ଚର ପାଣି । ପାଣି ଜମି ରହିବାରୁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବମିଖାଲ ରାସ୍ତାରେ ପାଣି ଏତେ ଜମିଥିଲା ରାସ୍ତା ପାଲଟି ଯାଇଥିଲା ନଇ । କିଛି ବି ଦେଖା ଯାଉନଥିଲା । କେଉଁଠି ଖାଲ ଅଛି କେଉଁଠି କଣ ଅଛି ତାହା ଜାଣିବା ମୁସ୍କିଲ ହେଉଥିଲା । ଲଗାତର ବର୍ଷାରେ ବୁଡି ଯାଇଥିଲା ବଡଦାଣ୍ଡ । ବଡଦାଣ୍ଡରେ ଚାଲିଥିଲା ଆଂଠୁଏ ଉଚ୍ଚର ପାଣି । ରାସ୍ତା ଉପରେ ଏତେ ପାଣି ଚାଲିବା ଯୋଗୁଁ ହିନସ୍ତା ହୋଇଥିଲେ ଲୋକେ ।

ଅଲାରନାଥ ମନ୍ଦିରର ବେଢାରେ ଜମି ରହିଥିଲା ବର୍ଷା ପାଣି । ନିମାପଡ଼ା ଶାଖା କେନାଲର ଗିରିଙ୍ଗି ହରିଜନ ସାହି ମଙ୍ଗଳା ମନ୍ଦିର ନିକଟରେ ୧୫ ଫୁଟର ଘାଇ ସୃଷ୍ଟି ହୋଇ ଗାଁରେ ପାଣି ପଶିଯାଇଥିଲା । ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତାରଲାକୋଟା ପୋଲ ଉପରେ ପାରି ପ୍ରବାହିତ ହେଉଛି । କାଲିଠାରୁ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଚିନ୍ତା ବଢ଼ି ଯାଇଛି ।

ଲଗାଣ ବର୍ଷା ଲାଗି ରହିଥିଲାବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢ଼ାଇ ଦେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ୬ରୁ ୧୦ତାରିଖ ଯାଏଁ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ ପକ୍ଷରୁ ୬ ରୁ ୭ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୭ ରୁ ୮ ତାରିଖରେ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୮ରୁ ୯ ତାରିଖରେ ୧୪ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୯ରୁ ୧୦ ତାରିଖରେ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ ।