ଜଙ୍ଗଲ ଛାଡି ସହରରେ ବୁଲୁଛି ହାତୀ: ସଂଧ୍ୟା ହେଲେ ବରଗଡ ପାଇକମାଳ ସହରର ଏଣେତେଣେ ବୁଲୁଛି ଦନ୍ତାହାତୀ

85

କନକ ବ୍ୟୁରୋ: ବରଗଡ ଜିଲ୍ଲା ପାଇକମାଳ ସହରରେ ବୁୁଲୁଛି ହାତୀ । ସହର ମୁଖ୍ୟ ରାସ୍ତାରେ ଦନ୍ତା ହାତୀ ବୁଲୁଥିବାରୁ ପାଇକମାଳରେ ଅଘୋଷିତ କର୍ଫ୍ୟୁ ଦେଖିବାକୁ ମିଳିଛି । ଗୁରୁବାର ସଂଧ୍ୟାରେ ଦନ୍ତା ହାତୀଟି ଆତଙ୍କ ଖେଳାଇଛି । ଦୀର୍ଘ ସମୟ ଧରି ଗଜରାଜ ବୁଲୁଥିବାରୁ ଆକ୍ରମଣ ଭୟରେ ରାସ୍ତାଘାଟ ଶୁନ୍ଶୁନ୍ ହୋଇଯାଇଛି, ଲୋକେ ଘରୁ ବାହାରୁନାହାନ୍ତି । ହାତୀଟି ନୂଆପଡ଼ା ଅଂଚଳରୁ ପାଇକମାଳକୁ ପଶିଆସିଥିବା ଅନୁମାନ କରାଯାଉଛି ।

ଦିନକୁ ଦିନ ଜଙ୍ଗଲକ୍ଷୟ ହେଉଥିବା ବେଳେ ଜଙ୍ଗଲି ଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । ଚାଷବାସ ନଷ୍ଟ କରୁଥିବା ହାତୀ ଏବେ ସହରରେ ବୁଲୁଛନ୍ତି । ସୁନ୍ଦରଗଡ଼ ବିରମିତ୍ରପୁର ସହର ଭିତରେ ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତାହାତୀ । ବିଳମ୍ବିତ ରାତିରେ ସହରରେ ରାଜ କରୁଛି ହାତୀ । ସତେ ଯେମିତି ସାରା ସହରକୁ ନିଜ ଅକ୍ତିଆରକୁ ନେଇ ଯାଇଛି । ହାତୀ ନିର୍ଭିକ ଭାବେ ବୁଲାବୁଲି କରୁଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି ।

ଗୁରୁବାର ସଂଧ୍ୟାରେ ୧୪୩ ନମ୍ବର ଜାତୀୟ ରାଜପଥକୁ ନିଜ କବଜା କରିଥିଲେ ଦନ୍ତାହାତୀ । ବଣାଇଁ ବନାଂଚଳ ବାବୁ ନୂଆଗାଁ ନିକଟରେ ରାଜପଥ କଡରେ ଫସଲ ନଷ୍ଟ କରିବା ପରେ ରାସ୍ତା ଉପରକୁ ଆସି ଗାଡି ଚଳାଚଳ ଠପ୍ କରିଦିଇଥିଲେ । ସ୍ଥାନୀୟ ଲୋକେ ହାତୀ ଘଉଡେଇବାକୁ ଚେଷ୍ଟା କରିଥିଲେ ବି କିଛି ଫରକ ପଡୁନାହିଁ । ଦନ୍ତା ୨ଟି ରାସ୍ତା ଉପରେ ଚଳାଚଳ କରିବା ସମୟରେ ଠପ୍ ହୋଇଯାଇଛି ଗାଡି ଚଳାଚଳ । କେବଳ ଗୁରୁବାର ନୁହେଁ, ୨ ମାସ ହେଲା ୨ଟି ହାତୀ ବଣାଇଁ ଉପଖଣ୍ଡର ଲହୁଣୀପଡ଼ା, କୁଳିପୋଷ ଅଂଚଳରେ ବୁଲାବୁଲି କରୁଛନ୍ତି । ୩୦ରୁ ଅଧିକ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ସବୁ ଜାଣି ବନବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରି ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

କଂକ୍ରିଟ ସହର ସାଙ୍ଗକୁ ଜଙ୍ଗଲକ୍ଷୟର ପ୍ରଭାର ଧିରେ ଧିରେ ମାନବ ସମାଜ ଉପରେ ପଡିଲାଣି । ଲୋକେ ଜଙ୍ଗଲ କାଟି କୋଠା ତିଆରି କରୁଥିବା ବେଳେ ଜଙ୍ଗଲ ଛାଡି ଜନବସତିକୁ ପଶି ଆସୁଛନ୍ତି ହାତୀପଲ । ତେବେ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨୫୯ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଧାନସଭାରେ ଲିଖିତ ଉତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।