ବସ କଣ୍ଡକ୍ଟରର ପୁଅ ହେଲେ ମୁଖ୍ୟମନ୍ତ୍ରୀ । ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ ।

172

କନକ ବ୍ୟୁରୋ: କଂଗ୍ରେସ ପାଇଁ ଆଶ୍ୱସ୍ତି ଆଣିଦେଇଛି ହିମାଚଳ । ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହ ମୁକେଶ ଅଗ୍ନିହୋତ୍ରୀ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କଂଗ୍ରେସର ବଡ ନେତାଙ୍କୁ ଦେଖିବାକୁ ମିଳିଥିଲା । ପିସିସି ସଭାପତି ପ୍ରତିଭା ସିଂ ବି ଉପସ୍ଥିତ ଥିଲେ । ତେବେ ସୁଖବିନ୍ଦର ତାଙ୍କ ରାଜନୈତିକ କ୍ୟାରିୟରରେ କେବେ ବି ମନ୍ତ୍ରୀ ନ ହୋଇ, ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

  • ବସ କଣ୍ଡକ୍ଟରର ପୁଅ ହେଲେ ହିମାଚଳର ମୁଖ୍ୟମନ୍ତ୍ରୀ
  • ରାହୁଲ, ପ୍ରିୟଙ୍କାଙ୍କ ଉପସ୍ଥିତିରେ ନେଲେ ଶପଥ

ଶିମଳାର ରିଜ ମୈଦାନରେ ଆୟୋଜିତ ଶପଥସମାରୋହରେ ସୁଖବିନ୍ଦର ସିଂହ ସୁଖୁ ହିମାଚଳର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁକେଶ ଅଗ୍ନିହୋତ୍ରୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସୁଖୁ ରାଜ୍ୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଖୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ଘୋଷଣା କରିଛନ୍ତି । ଶପଥପାଠ ଉତ୍ସବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ପାହାଡି ରାଜ୍ୟ ହିମାଚଳର ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟକୁ ଦଳ ପାଇଁ ସଂଜିବନୀ ବୋଲି କୁହାଯାଉଛି । ସବୁଠୁ ବଡ କଥା ହେଲା ରାଜପରିବାରକୁ ବାଦ ଦେଇ ଲୋକଙ୍କ ସହ ଯୋଡି ହୋଇଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି କଂଗ୍ରେସ । ହମିରପୁର ବାସିନ୍ଦା ସୁଖବିନ୍ଦ ସିଂ ସୁଖୁଙ୍କ ବାପା ବସ କଣ୍ଡକ୍ଟର ଥିଲେ ।

  • ସୁଖୁଙ୍କ ବାପା ରାଜ୍ୟ ପରିବହନ ନିଗମରେ ବସ୍ ଡ୍ରାଇଭର ଥିଲେ
  • କଲେଜ ଜୀବନରେ ସୁଖୁ ନିଜେ ପିସିଓ ଚଲାଉଥିଲେ
  • ଛାତ୍ର ଜୀବନରୁ ସେ କଂଗ୍ରେସ ସହ ଜଡିତ ହୋଇଥିଲେ
  • ତିନି ଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ ସୁଖବିନ୍ଦର ସିଂ ସୁଖୁ

ଯିଏ ହିମାଚଳରେ କଂଗ୍ରେସ ଶାସନ ସମୟରେ ମନ୍ତ୍ରୀ ପଦଟିଏ ପାଇନଥିଲେ, ସେହି ନେତାଙ୍କୁ ସିଧା ମୁଖ୍ୟମନ୍ତ୍ରୀ ପଦରେ ବସାଇଛି କଂଗ୍ରେସ । ପରିବାରବାଦର ଅପବାଦ ମୁଣ୍ଡାଇଥିବା ଦଳ ଏଭଳି ନିଷ୍ପତି ନେଇ ସଙ୍କେତ ଦେଇଛି, ଲୋକଙ୍କ ସହ ଜଡିତ ନେତାଙ୍କୁ ପଦ ମିଳିବାରେ ଅସୁବିଧା ନାହିଁ ।

ରାହୁଲ ଗାନ୍ଧୀ ଓ କେନ୍ଦ୍ରୀୟ ନେତୃତ୍ୱର ପସନ୍ଦ ସୁଖବିନ୍ଦର ସିଂ ସୁଖୁ ହିମାଚଳର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ହେଲେ ଆଗକୁ ତାଙ୍କ ଆଗରେ ଅନେକ ଆହ୍ୱାନ ରହିଛି । ବିଶେଷ କରି ଦଳ ଭିତର ଗୋଷ୍ଠୀ କନ୍ଦଳକୁ ସମ୍ଭାଳି ୫ ବର୍ଷ ସରକାର ଚଲାଇବା, ୨୦୨୪ରେ ସାଧାରଣ ନିର୍ବାଚନରେ ବିଜେପି ସହ ମୁକାବିଲା କରିବା ଭଳି ବଡ ବଡ ଆହ୍ୱାନକୁ ସାମ୍ନା କରିବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ।