ପଦ୍ମପୁର ଉପ ନିର୍ବାଚନକୁ ନେଇ ଥମୁନି କଂଗ୍ରେସ କଳି । ଟଙ୍କା ଡିଲ୍ ଅଭିଯୋଗ ସତ କହିଲେ ସୁର, ଚିହିଁକି ଉଠିଲେ ପିସିସି ସଭାପତି

119

କନକ ବ୍ୟୁରୋ: ପଦ୍ମପୁରରେ  ନିର୍ବାଚନ ସରିଛି କିନ୍ତୁ ବୟାନବାଜି ସରୁନାହିଁ । ପଦ୍ମପୁରରେ ବିଜେଡି ଜିତିଥିଲେ ବି କଂଗ୍ରେସ କଳି ବଢିଛି ଆଉ ଅସନ୍ତୋଷର ନିଆଁରେ ଘିଅ ଢାଳିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ବିଜେଡି ସହ ଡିଲ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସତ । କଂଗ୍ରେସକୁ ହରାଇବା ପାଇଁ ପଦ୍ମପୁର ଯାଇଥିଲେ ନେତା । ଆଉ ପଦ୍ମପୁର ଡିଲ ନେଇ ଅଭିଯୋଗ ହେବା ପରେ ଚିହିଁକି ଉଠିଛନ୍ତି ପିସିସି ସଭାପତି । ସେପଟେ ଡିଲକୁ ପୁଣିଥରେ ଦୋହରାଇଛନ୍ତି ବିରୋଧୀ ଦଳ ନେତା ।

  • ପଦ୍ମପୁରରେ ଡିଲ୍ କରିଥିଲା କି କଂଗ୍ରେସ?
  • ଅଭିଯୋଗକୁ ସମର୍ଥନ କଲେ ସୁର 
  • ଶରତ କହିଲେ, ପ୍ରମାଣ କରିଦେଲେ ଛାଡ଼ିଦେବେ ରାଜନୀତି

ପଦ୍ମପୁରରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ଅସନ୍ତୋଷର ନିଆଁ ଉପରେ ଘିଅ ଢାଳିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ବିଜେଡି ସହ ଡିଲ୍ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସତ । ଆଉ ପାଦେ ଆଗକୁ ଯାଇ ସୁର କହିଛନ୍ତି, କଂଗ୍ରେସକୁ ହରାଇବା ପାଇଁ ପଦ୍ମପୁର ଯାଇଥିଲେ ନେତା । କେହି କଂଗ୍ରେସକୁ ଜିତାଇବାକୁ ଚାହୁଁନଥିଲେ । ଏନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ସୁରଙ୍କ ଅଭିଯୋଗ

  • ବିଜେଡି ସହ ଡିଲ୍ ଅଭିଯୋଗ ସତ
  • କଂଗ୍ରେସକୁ ହରାଇବା ପାଇଁ ପଦ୍ମପୁର ଯାଇଥିଲେ ନେତା
  • କେହି କଂଗ୍ରେସକୁ ଜିତାଇବାକୁ ଚାହୁଁନଥିଲେ
  • ସୋନିଆ ଓ ରାହୁଲଙ୍କୁ ଦେବେ ରିପୋର୍ଟ

ଡିଲ୍ ହୋଇଥିବା ଅଭିଯୋଗ ହେବା ପରେ ଚିହିଁକି ଉଠିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଖୋଲା ଚ୍ୟାଲେଞ୍ଜ୍ ଦେଇ କହିଛନ୍ତି, ଡିଲ ନେଇ ଯଦି କାହା ପାଖରେ କିଛି ପ୍ରମାଣ ଥାଏ, ତେବେ ସେ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇଯିବେ । ଯାହାଙ୍କ ବିରୋଧରେ ଟଙ୍କା କାରବାରର ପ୍ରମାଣ ମିଳିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି । କୌଣସି ବିଜେଡି ନେତାଙ୍କ ସହ ତାଙ୍କର ଲିଙ୍କ ନଥିବା କହିଛନ୍ତି ଶରତ । ଦଳ ଖରାପ ସମୟ ଦେଇ ଗତି କରୁଥିବାରୁ ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ନଦେବାକୁ ସେ ଅନୁରୋଧ କରିଛନ୍ତି ।

ପିସିସି ସଭାପତିଙ୍କ ଚ୍ୟାଲେଞ୍ଜ

  • ଡିଲ୍ ନେଇ କିଛି ପ୍ରମାଣ ଥିଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ
  • ଯାହାଙ୍କ ବିରୋଧରେ ପ୍ରମାଣ ମିଳିବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ
  • ବିଜେଡି ନେତାଙ୍କ ତାଙ୍କର କୌଣସି ଲିଙ୍କ୍ ନାହିଁ
  • ଦଳ ଖରାପ ସମୟ ଦେଇ ଗତି କରୁଛି
  • ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ନଦେବାକୁ ଅନୁରୋଧ

ପଦ୍ମପୁରରେ ଡିଲ୍ ହୋଇଥିବା ନେଇ କଂଗ୍ରେସ ଭିତରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ପୁଣି ଥରେ ଏହାକୁ ଦୋହରାଇଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି, ଡିଲ୍ ହୋଇଥିବା କଥା କଂଗ୍ରେସ ଓ ବିଜେଡି ନେତାମାନଙ୍କ ଠାରୁ ଶୁଣିବାକୁ ପାଇଛନ୍ତି । କିନ୍ତୁ ଡିଲ୍ ସମୟର ଭିଡିଓ ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି ଜୟନାରାୟଣ ।

ବିଜେଡି ସହ କଂଗ୍ରେସ ଡିଲ୍ କରିଥିବା ନେଇ ପ୍ରଥମେ ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପରିକି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ନେତାଙ୍କ ପକେଟ ଗରମ ହୋଇଥିବା ଅଭିଯୋଗ ଆଣିଥିଲେ । ଦଳର ଏପରି ପ୍ରଦର୍ଶନ ଜାରି ରହିଲେ କଂଗ୍ରେସ ଲୋପ ପାଇବ ବୋଲି କହିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି ।