ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ । ଅନ୍ତର୍ଜାତୀୟ ଫୋରମର ସଦସ୍ୟ ଭାବେ ଜିତିବା ପରେ ଓଡ଼ିଶା ଫେରିଲେ ଭୁବନେଶ୍ୱର ସାଂସଦ ।

157

କନକ ବ୍ୟୁରୋ: ଆନ୍ତର୍ଜାତୀୟ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା ଆଇପିୟୁରେ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ଓଡିିଶା ଫେରିବା ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅପରାଜିତା । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ହଜାର ହଜାର ସମର୍ଥକ ସ୍ୱାଗତ କରିବା ସହ ଶୋଭାଯାତ୍ରା କରି ତାଙ୍କ କାଯ୍ୟାଳୟକୁ ଯାଇଥିଲେ । କିନ୍ତୁ ଅପରାଜିତାଙ୍କ ଏହି ପାୱାର ଶୋ’ରେ ବିଜେପିର କୌଣସି ରାଜ୍ୟସ୍ତରୀୟ ନେତାଙ୍କୁ ଦେଖିବାକୁ ମିଳିନଥିଲା । ଯାହା ଚର୍ଚ୍ଚାର ବିଷୟ ହୋଇଛି ।

  • ରାଜଧାନୀରେ ଅପରାଜିତାଙ୍କ ପାୱାର ଶୋ’
  • ସାଂସଦଙ୍କୁ ସ୍ୱାଗତ କଲେ ହଜାର ହଜାର ସମର୍ଥକ

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ୱାଗତ କରିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିଥିଲେ ହଜାର ହଜାର ସମର୍ଥକ । ଆଉ ସ୍ୱାଗତ ଆଳରେ ନିଜ ସମର୍ଥକଙ୍କୁ ନେଇ ଭୁବନେଶ୍ୱର ସାଂସଦ କରିଛନ୍ତି ନିଜର ଶକ୍ତି ପ୍ରଦର୍ଶନ । ଆନ୍ତର୍ଜାତୀୟ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା ଆଇପିୟୁରେ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇ ଫେରିଛନ୍ତି ଅପରାଜିତା । ଦୁଇ ଦଶନ୍ଧି ପୂର୍ବରୁ ନଜମା ହେପାତୁଲ୍ଲା ଏହି କମିଟିର ସଦସ୍ୟ ଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତାଙ୍କୁ ଭାରତ ପକ୍ଷରୁ ପ୍ରାର୍ଥୀ ଭାବେ ଚୟନ କରିଥିଲେ । ନିର୍ବାଚନରେ ୧୭୮ଟି ଦେଶ ସାମିଲ ହୋଇଥିବା ବେଳେ ଦୁଇ ତୃତୀୟାଂଶ ଭୋଟ୍ ପାଇ ଅପରାଜିତା ବିଜୟ ଲାଭ କରିଥିଲେ ।

  • ଏକା ଏକା ଅପରାଜିତା!
  • ସ୍ୱାଗତ ପାଇଁ ଆସିଲେନି ବିଜେପି ନେତା

ବିଶାଳ ରାଲିରେ ଅପରାଜିତା ଚାଲି ଚାଲି ବିମାନବନ୍ଦରରୁ ନବୀନ ନିବାସ ଦେଇ ନିଜ ପଳାଶପଲୀ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ଏହାରି ଭିତରେ ଦେଖିବାକୁ ମିଳିନଥିଲା କୌଣସି ରାଜ୍ୟ ବିଜେପିର ନେତୃବୃନ୍ଦଙ୍କୁ । ସେପଟେ କିନ୍ତୁ ବୋଲଗଡ- ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଅପରାଜିତା ବିରୋଧୀ ପ୍ରଦର୍ଶନ ଜୋର ଧରିବାରେ ଲାଗିଛି । ୬ଟି ମଣ୍ଡଳ ସହ ବିଭିନ୍ନ ପଞ୍ଚାୟତର ତୃଣମୂଳ ନେତୃତ୍ୱ ଅପରାଜିତାଙ୍କ ବିରୋଧରେ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ।

ଦୀର୍ଘ ଦୁଇ ଦଶନ୍ଧି ପରେ ଭାରତ ପ୍ରଥମ ଥର ପାଇଁ ଆଇପିୟୁରେ କାର୍ଯ୍ୟକାରୀ ସଦସ୍ୟ ହୋଇଛି । ଆଉ ଏହି ସଦସ୍ୟ ପୁଣି ଓଡିଶାର ଜଣେ ସାଂସଦ । ଅପରାଜିତା ଦକ୍ଷିଣ ଆଫ୍ରିକାର କିଗଲି ରାୱଣ୍ଡା ଭୁବନେଶ୍ୱର ଫେରିଥିବାରୁ ତାଙ୍କ ସମର୍ଥକ ଉତ୍ସାହିତ ରହିଥିବା ବେଳେ ଅପରାଜିତାଙ୍କୁ ନେଇ ବିଜେପି କ୍ୟାମ୍ପରେ ଯେ ସବୁ ଠିକ୍ ଚାଲିନି ତାହା ବାରି ହୋଇପଡୁଛି ।