ପୁଲିସ ଆଗରେ ଜବରଦଖଲ । ରାଜଧାନୀ ଉପକଣ୍ଠରେ ଶିକ୍ଷୟିତ୍ରୀଙ୍କ ଘରକୁ ନିଜର କହି କବଜା କରିନେଲେ କିଛି ଲୋକ

169

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠର ସାଁପୁର ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଖବର ଦେଖିବାକୁ ମିଳିଛି । ଘର ଭିତରେ ଲୋକ ଅଛନ୍ତି କିନ୍ତୁ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଉଛି । ଯେଉଁ ରାସ୍ତା ଦେଇ ଘର ମାଲିକ ଘର ଭିତରକୁ ପ୍ରବେଶ କରିବେ ସେହି ରାସ୍ତାକୁ ପଥରରେ ପାଚେରୀ ଘେର ଦିଆଯାଉଛି । ପଥର ବୋଝେଇ ଟ୍ରକ ସହ ରାଜମିସ୍ତ୍ରୀ କାମ କରିବାରେ ଲାଗି ପଡ଼ିଛନ୍ତି ।
ସେହିପରି ଆଉ କିଛି ବ୍ୟକ୍ତି ଏହି ଘରର ମାଲିକ ବୋଲି ଦାବି କରି ଏକାଧିକ ଲୋକଙ୍କ ବାହୁ ବଳରେ ଘରଟିକୁ କବଜା କରୁଛନ୍ତି । ଆଉ ଏସବୁ ପୁଲିସ ଉପସ୍ଥିତିରେ ଚାଲିଛି । ସତେ ଯେପରିି ଘରଟିକୁ କବଜା କରିବା ପାଇଁ ପୁଲିସ ସେମାନଙ୍କୁ ସାହାସ ଦେଉଛି । ଆଉ ଗଣମାଧ୍ୟମ ଆଗରେ ନେହୁରା ହୋଇଛନ୍ତି ଜଣେ ଅସହାୟ ଶିକ୍ଷୟତ୍ରୀ ।

ଦୀପ୍ତିମୟୀ ହରିଚନ୍ଦନ ନାମକ ସେହି ଶିକ୍ଷୟତ୍ରୀଙ୍କ ସ୍ୱପ୍ନ ଥିଲା ଭୁବନେଶ୍ୱରରେ ଜାଗା ଖଣ୍ଡେ କିଣି ଘର କରିବେ । ଆଉ ଜୀବନ ଯାକର ପୁଞ୍ଜି ନିବେଶ କରି ନିଜର ସ୍ୱପ୍ନର ଘର ସହିତ ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷାଦାନ ଦେବେ । ୨୦୧୬ ମସିହାରେ ସାଁ ପୁରର ୨୨୪/୧୦୭୮ର ପ୍ଲଟ ଟିକୁ କିଣିବା ପରେ ୨୦୧୭ ମସିହାରୁ ଘର କାମ ଆରମ୍ଭ କରିଥିଲେ । ୨୦୧୯ ମସିହାରେ ବିଦ୍ୟୁତ ସଂଯୋଗ ପରଠାରୁ ଏହି ଘରେ ରହି ଆସୁଥିଲେ । ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା ।

ଗତ ୫ ତାରିଖ ଦିନ କିଛି ବ୍ୟକ୍ତି ଏହି ଜାଗା ଏବଂ ଘର ତାଙ୍କର ବୋଲି କହି ନିଜ କବଜାକୁ ନେଇ ଯାଇଥିଲେ । ଏନେଇ ଥାନାର ଦ୍ୱାରସ୍ତ ହେବା ପରେ ଭରତପୁର ଥାନା ପୋଲିସ ଏକ ମାମଲା କରି ହାତବାନ୍ଧି ବସିଥିବା ଦିପ୍ତିମୟୀ ଅଭିଯୋଗ କରିଛନ୍ତି । ରାଜଧାନୀରେ ଜମି ମାଫିଆଙ୍କ ଦୌରାତ୍ମ ବଢିବାରେ ଲାଗିଛି । ଜମି ମାଫିଆ ମାନେ ଗୋଟିଏ ଜମିକୁ ଏକାଧିକ ଥର ବିକ୍ରି କରି ମାଲାମାଲ ହେଉଛନ୍ତି । ଆଉ ଏଠି ନିରିହ ଶିକ୍ଷୟିତ୍ରୀ ନ୍ୟାୟ ପାଇଁ ଯେଉଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେହି ପୁଲିସଙ୍କ ଉପସ୍ଥିତିରେ ଏଠାରେ ଜାଗା ଦଖଲ ଚାଲି୍ଛି । ପ୍ରଶ୍ନ ଉଠୁଛି ଏଠି ପୁଲିସ କାହା ପାଇଁ ।