ରୋଜଗାର ସହ ପରିଚୟ ଦେଇଛି ମୂର୍ତ୍ତି ତିଆରି: ବର୍ଷକୁ ୨୦ ଲକ୍ଷ ଟଙ୍କାରୁ ଅଧିକର ମୂର୍ତ୍ତି ବ୍ୟବସାୟ

101

କନକ ବ୍ୟୁରୋ: ପଚିଶ ବର୍ଷ ହେବ ତିଆରି କରି ଆସୁଛନ୍ତି ମୂର୍ତି । ଏହି ମୂର୍ତି କାରିଗରୀ ତାଙ୍କୁ ସ୍ୱାବଲମ୍ବୀ କରିବା ସହିତ ୮ରୁ ୧୦ଜଣଙ୍କୁ ଦେଇପାରିଛନ୍ତି ରୋଜଗାର । ବାର୍ଷିକ ୨୦ରୁ ୨୫ଲକ୍ଷ ଟଙ୍କାର ମୂର୍ତି ବ୍ୟବସାୟ କରି ସୁରୁଖୁରୁରେ ପରିବାର ଚଳାଉଛନ୍ତି ଯାଜପୁର ରସୁଲପୁର ବ୍ଲକ ଚଣ୍ଡିପୁର ଗାଁର ଶିଳ୍ପୀ ବିଷ୍ନୁପ୍ରସାଦ ସାହୁ ।

ରସୁଲପୁର ବ୍ଲକ ଚଣ୍ଡିପୁର ଗାଁର ମୂର୍ତି କାରିଗର ବିଷ୍ନୁପ୍ରସାଦ ସାହୁ । ପିଲାଦିନରୁ ମୂର୍ତି ଗଢିବା ନିଶା ତାଙ୍କୁ ଅଧାରୁ ପାଠ ଛଡାଇ ଦେଇଥିଲା । ଫଳରେ ଅଷ୍ଟମ ଶ୍ରେଣୀରୁ ପାଠ ଛାଡି ମୂର୍ତି କାରିଗରୀ ଶିଖିବା ନିଶାରେ ସେ କଟକ ଚାଲିଆସିଥିଲେ । କଟକରେ ମୂର୍ତି କାରିଗରୀ କାମ ଶିକ୍ଷା କରିବା ପରେ ଦୀର୍ଘ ଦଶରୁ ବାର ବର୍ଷ ହେବ ହରିଦ୍ୱାର ଓ ଦିଲ୍ଲୀରେ ରହି ମୂର୍ତି ତିଆରି କରି ଦୁଇପଇସା ରୋଜଗାର କରିବାକୁ ସକ୍ଷମ ହେବା ପରେ ନିଜ ଗାଁକୁ ଫେରିଆସି ନିଜର ମୂର୍ତି ଫାର୍ମଟିଏ କରିଛନ୍ତି । ଯେଉଁଠି ସେ ମାଟିମୂର୍ତି ସହ ଫାଇବରରେ ବିଭିନ୍ନ ଡିଜାଇନର ମୂତି ତିଆରି କରି ବର୍ଷକୁ ୨୦ରୁ ୨୫ଲକ୍ଷ ଟଙ୍କାର ବ୍ୟବସାୟ କରି ବେଶ୍ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସେ ଫାଇବର ହେଉ କି ମାଟି ମୂର୍ତି ବିଭିନ୍ନ ଛାଂଚ ସାହାଯ୍ୟରେ ମୂର୍ତି ତିଆରି କରୁଥିବା ବେଳେ ପାର୍ବଣ ରୂତୁ ଅନୁଯାୟୀ ଗ୍ରାହକଙ୍କ ବରାଦ ମୁତାବକ ଗଣେଶ, ଖୁଦୁରୁକୁଣୀ, ବିଶ୍ୱକର୍ମା, ଲକ୍ଷ୍ମୀ, କାଳୀ, ଦୂର୍ଗାଙ୍କ ମେଢ ତିଆରି କରି ବିକ୍ରି କରିଥାନ୍ତି । ଗତବର୍ଷ କରୋନା ପାଇଁ ମୂର୍ତି ବ୍ୟବସାୟ ବାଧାପ୍ରାପ୍ତ ହୋଇଥିବା ବେଳେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ସେ ପାଇଥିଲେ ଅଢେଇ ଲକ୍ଷ ଟଙ୍କାର ଅର୍ଡର । ବିଷ୍ନୁଙ୍କ ହାତ ତିଆରି ମୂର୍ତି ଗୁଡିକ ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ବାଲେଶ୍ୱର ଜିଲ୍ଳାକୁ ମଧ୍ୟ ବିକ୍ରି କରାଯାଇଥାଏ ।

ବିଷ୍ନୁଙ୍କ ଫାର୍ମରେ ଚଳିତ ବର୍ଷ ୩ହଜାର ଟଙ୍କାରୁ ୨୦ହଜାର ଟଙ୍କାର ୬୦ଟି ମୂର୍ତି ବିକ୍ରି ହୋଇଥିବା ସେ କହିଛନ୍ତି ।ବିଷ୍ନୁଙ୍କର ଏହି ମୂର୍ତି ଫାର୍ମରେ ୮ରୁ ଦଶଜଣ କାରିଗର ନିୟମିତଭାବେ କାମ କରି ବେଶ୍ ଦୁଇପଇସା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି । ମୂର୍ତି ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ତିଆରି କରିଥିବା ବିଷ୍ନୁପ୍ରସାଦ ଅନ୍ୟ କାରିଗରମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।