ବଢ଼ୁଛି କୋରାପୁଟ କଫିର ଚାହିଦା: ଆହୁରି ଲୋକପ୍ରିୟ କରିବାକୁ ପ୍ରୟାସ ଜାରି 

133

କନକ ବ୍ୟୁରୋ: କେବଳ ଆରବିକା ପ୍ଲେବରରେ ମିଳୁଛି କୋରାପୁଟ କଫି ସେଥିରେ ଭିନ୍ନତା ଆଣିବା ସହ ଏକାଧିକ ଫେବର ଯୁକ୍ତ କରିବାକୁ ଚାଲିଛି ଯୋଜନା ତେଣୁ କାପେଚିନୋ , ରୋବୁଷ୍ଟା, ଲିବରିକା ଓ ଏକ୍ସଲସା ଭଳି ନୂଆ ପ୍ଲେଭରରେ କୋରାପୁଟ କପିକୁ ବଜାରରେ ଛାଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ଏଥିପାଇଁ ବାଙ୍ଗାଲୁରୁ ସ୍ଥିତ କଫି ବୋର୍ଡ ର କୃଷି ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି ଯାହାଫଳରେ ଆଗାମୀ ଦିନରେ କୋରାପୁଟ ଜିଲ୍ଲା ନୂଆ ପ୍ଲେଭର କଫି ଚାଷ ପାଇଁ ପ୍ରୟୋଗଶାଳା ହେବ ।

କୋରାପୁଟ କଫିର ରହିଛି ଢେର ଚାହିଦା । ଏମିତିକି ଆରବିକା ଫ୍ଲେବର କୋରାପୁଟ କଫିର ଚାହିଦା ସମଗ୍ର ବିଶ୍ୱରେ ରହିଛି । ଆଉ ଏବେ ଜିଲ୍ଲାର ୧୦୨୬ କଫି ଚାଷୀଙ୍କ ଜୀବିକାରେ ଉନ୍ନତି ହେବାକୁ ଯାଉଛି । କୋରାପୁଟ କଫିର ଫ୍ଲେବରରେ ଏବେ ଭିନ୍ନତା ଆସିବାକୁ ଯାଉଛି । ଏଣିକି କେବଳ ଆରବିକା କଫି ନୁହେଁ ବରଂ କାପାଚିନୋ, ରୋବୁଷ୍ଟା, ଲିବରିକା ଆଦି ଫ୍ଲେ୍ଲବରର କଫି ଉତ୍ପାଦନ କରି ବିଶ୍ୱ ବଜାରରେ ଏହା ଚାହିଦା ବଢାଇବା ପାଇଁ ଯୋଜନା କରାଯାଉଛି ।

ତେବେ କଫି ଚାଷ ସହ ପଣସ, ଅଳେଇଚ, ଲବଙ୍ଗ, ତୁଳସୀ, ଅଦା ସହ ବିଭିନ୍ନ ପ୍ରଜାତିର ଫୁଲ, କାଜୁ, ବାଦାମ, ସପୁରୀ, ଭଳି  ବିଭିନ୍ନ ଫଳ ତଥା ଫୁଲରୁ ପରାଗ ସଙ୍ଗମ ହୋଇ ବିଭିନ୍ନ ପ୍ଲେଭର ଉତ୍ପନ୍ନ ହୋଇପାରିବ ବୋଲି କୁହାଯାଉଛି ।  ସୁଗନ୍ଧିତ ଫୁଲ ଓ ଫଳକୁ କଫି ବଗିଚାରେ ଚାଷ କରାଗଲେ କଫି ମଞ୍ଜିରେ ସେହି ସୁଗନ୍ଧ ଆସିବ ବୋଲି ଚାଷୀ ମାନେ କହିଛନ୍ତି । ତେବେ ୪ଟି ପ୍ଲେବର ଆସିଲେ ସେମାନଙ୍କର ବ୍ୟବସାୟ ବଢିବା ସହ ଆର୍ôଥକ ସ୍ଥିତି ସୃଦୁଡ଼ ହେବ ବୋଲି କୋରାପୁଟ ଚାଷୀ କହିଛନ୍ତି ।

ବର୍ତ୍ତମାନ କୋରାପୁଟ  ଜିଲ୍ଲାର ସେମିଳିଗୁଡାରେ ୧୧୪ ହେକ୍ଟର ଜମିରେ କଫି ଚାଷ ହେଉଛି ସେହିପରି ଦଶମନ୍ତପୁର ବ୍ଲକରେ ୫୪୦ ହେକ୍ଟର, ଲକ୍ଷ୍ମୀପୁରରେ ୩୦୩ ହେକ୍ଟର, ନନ୍ଦପୁରରେ ୩୫୨ ହେକ୍ଟର, କୋରାପୁଟରେବ ୨୭୧ ହେକ୍ଟର, ବୋରିଗୁମ୍ମାରେ ୩୧ ଓ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ କଫି ଚାଷ କରାଯାଉଛି । ମୋଟ ୧୦୨୬ ଜଣ ଚାଷୀ କଫି ଚାଷ କରୁଥିବା ବେଳେ ଗୋଟିଏ ଋତୁରେ ପ୍ରାୟ ୧୧୦ ମେଟ୍ରିକ ଟନ୍ କଫି ଉତ୍ପାଦିତ ହେଉଛି । ସେହିପରି ଗତ ୪ବର୍ଷ ମଧ୍ୟରେ ୩୭୧ଜଣ ଚାଷୀ କଫି ଚାଷ ପ୍ରତି ଆକୃଷ୍ଟ ହୋଇଛନ୍ତି । ତେବେ କୋରାପୁଟ କଫିରେ ଯେଉଁ ଆରବିକା ପ୍ଲେଭର ଆସିଛି ତାହା ପ୍ରକୃତିର ଦାନ ବୋଲି କହିଛନ୍ତି କୋରାପୁଟ କଫି ଉନ୍ନୟନ ପ୍ରକଳ୍ପର ଉପ ନିର୍ଦେଶକ ।

ଆଗାମୀ ଦିନରେ କୋରାପୁଟ କଫିର ବିଭିନ୍ନ ପ୍ଲେବେର ଲୋକେ ବଜାରରେ ପାଇବେ ଏବଂ କୋରାପୁଟ କଫିର ଚାହିଦା ବି ଦେଶ ବିଦେଶରେ ବେଶ୍ ଅଧିକ ବଢିବ ଏନେଇ ସମସ୍ତେ ବେଶ୍ ଆଶାବାଦୀ ।