ରାଜ୍ୟରେ ଘାତକ ସାଜିଛି ସ୍ୱାଇନ ଫ୍ଲୁ ! ଆଉ ୨ଜଣଙ୍କ ଜୀବନ ଗଲା,ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି

56

କନକ ବ୍ୟୁରୋ : ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଘାତକ ସ୍ୱାଇନ-ଫ୍ଲୁ ପୁଣି ୨ଜଣଙ୍କ ଜୀବନ ନେଇଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୪୪ରେ ପହଁଚିଛି । ମୃତକ ଦୁଇ ଜଣ ରାଜଧାନୀର ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ଯାଂଚ କରାଯାଇଥିବା ୨୫ଟି ସ୍ୱାବ ମଧ୍ୟରୁ ୪ ଜଣଙ୍କ ରକ୍ତରେ ପୁଣି ଏଚୱାନଏନୱାନ୍ ପଜିଟିଭ୍ ଚିହ୍ନଟ କରାଯାଇଛିି । ଏଥିରେ ୩ବର୍ଷର ଜଣେ ଶିଶୁ ରହିଛି ।

swine-fluଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ସରେ ଜଣେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ର ଜଣେ ଲେଖାଏଁ ରହିଛନ୍ତି । ଚଳିତବର୍ଷ ଏ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୩୬୫ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ୧୧୩୬ଟି ସ୍ୱାବ୍ ନମୁନା ପରୀକ୍ଷା ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ମୋଟରେ ଯାଂଚ କରାଯାଇଥିବା ୧୧୩୬ ନମୁନାରୁ ୩୬୫ଜଣଙ୍କ ରକ୍ତରେ ଏଚୱାନଏନୱାନ୍ ପଜିଟିଭ୍ ବାହାରିଛି ।

ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ସର୍ବାଧିକ ୧୪୪ଜଣ ସ୍ୱାଇନ୍-ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ସର୍ବାଧିକ ୯ଜଣଙ୍କର ପ୍ରାଣ ନେଇଛି ସ୍ୱାଇନ୍-ଫ୍ଲୁ । ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ସ୍ୱାଇନ୍-ଫ୍ଲୁ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ।