ସୁଷମାଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ହୋଇପଡିଲେ ଭାବବିହ୍ୱଳ

590

କନକ ବ୍ୟୁରୋ: ସୁଷମାଙ୍କ ଶେଷ ଦର୍ଶନ ବେଳେ ଭାବବିହଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଷମାଙ୍କ ପାର୍ଥୀବ ଶରୀରରେ ଶ୍ରଦ୍ଧାଂଜଳି ଦେବାପରେ ଭାବବିହ୍ୱଳ ହୋଇପଡିଛନ୍ତି ମୋଦି । ସ୍ୱବ୍ଧ ହୋଇଯାଇଛି ପୁରା ପରିବେଶ । ସୁଷମାଙ୍କ ଝିଅକୁ ସମବେଦନା ଜଣାଇବା ସମୟରେ ମୋଦିଙ୍କ ଆଖିରେ ଜକେଇ ଆସିଛି ଲୁହ । ଝିଅ ବନସୁରିଙ୍କୁ ଧୈର୍ଯ୍ୟ ଧରିବାକୁ ଆଶ୍ୱସନା ଦେଇଛନ୍ତି ମୋଦି । ସୁଷମାଙ୍କ ବିୟୋଗ ଖବର ଆସିବା ପରେ ମୋଦି ଲଗାତର କିଛି ଟୁଇଟ କରି ଦୁଃଖପ୍ରକାଶ କରିଥିଲେ ।

ମୋଦି ଟୁଇଟ କରି ଲେଖିଛନ୍ତି ଯେ, ଭାରତୀୟ ରାଜନୀତିରେ ଏକ ଗୌରବମୟ ଅଧ୍ୟାୟର ଅବସାନ ଘଟିଛି । କୋଟି କୋଟି ଲୋକଙ୍କ ପାଇଁ ସୁଷମା ପ୍ରେରଣାର ଉତ୍ସ ଥିଲେ । ସୁଷମା ଜଣେ ଦକ୍ଷ ପ୍ରଶାସିକା ଥିଲେ । ଏପରିକି ସୁଷମା ଯେଉଁ ବିଭାଗରେ କାମ କରୁଥିଲେ ସେହି ବିଭାଗର ମାନ ବଢାଇଥିଲେ । ଭାରତ ସହ ବହୁ ଦେଶର ସମ୍ପର୍କ ବଢାଇଥିଲେ ।ବାହାର ଦେଶରେ ଥିବା ଭାରତୀୟଙ୍କୁ ଦୁର୍ଦ୍ଦଶା ବେଳେ ସହାୟତାର ହାତ ବଢାଥିଲେ ।

ସୁଷମାଙ୍କ ସହ ତମାମ ରାଜନୈତିକ ଉପଲବ୍ଧି ଏବଂ ଭାରତୀୟ ଜନତା ପାର୍ଟିର ବିଚାର ଧାରା ପ୍ରତି ସମର୍ପିତ ଜୀବନୀକୁ ନେଇ ମୋଦି ସ୍ମୃତିଚାରଣ କରିଛନ୍ତି । ଗତକାଲି ଯେତେବେଳେ ସୁଷମାଙ୍କ ନିଧନ ଖବର ପ୍ରଘଟ ହୋଇଥିଲା ସେତେବେଳେ ସାରା ଦେଶରେ ଶୋକର ମାହୋଲ ସୃଷ୍ଟି ହୋଇଥିଲା । ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଷମାଙ୍କୁ ଶେଷ ଦର୍ଶନ ଓ ଶ୍ରଦ୍ଧାଂଜଳି ଦେବା ପାଇଁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲେ ।