ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା ! ୪ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ

17

କନକ ବ୍ୟୁରୋ : ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟ ୪ ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ପୂର୍ବରୁ ହାଇକୋର୍ଟ ଓ ତଳକୋର୍ଟ ଫାଶିଦଣ୍ଡାଦେଶ ଶୁଣାଇ ସାରିଛନ୍ତି ।

ଆଜି ୪ ଦୋଷୀଙ୍କ ଆବେଦନ ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ନିର୍ଭୟା ମାମଲାର ୪ଦୋଷୀ ହେଲେ ମୁକେଶ, ବିନୟ ଶର୍ମା, ପବନ ଗୁପ୍ତା ଓ ଅକ୍ଷୟ ଠାକୁର । ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ରାମସିଂହର ମୃତ୍ୟୁ ହୋଇଛି । ଅନ୍ୟ ଅଭିଯୁକ୍ତ ଜଣକ ନାବାଳକ ଥିବାରୁ ସୁଧାର ଗୃହରେ ତିନି ବର୍ଷ କାଟି ମୁକୁଳି ସାରିଛି ।

୧୬ ଡିସେମ୍ବର ୨୦୧୨ରେ ନିର୍ଭୟା ନିଜ ପୁରୁଷ ବନ୍ଧୁ ସହ ଫିଲ୍ମ ଦେଖି ରାତିିରେ ଫେରୁଥିବା ବେଳେ ବସରେ ଗଣଦୁଷ୍କର୍ମ କରିଥିଲେ ୬ ଅଭିଯୁକ୍ତ । ପରେ ମରଣାନ୍ତକ ଆକ୍ରମଣ କରି ରାସ୍ତାରେ ଫୋପାଡି ଦେଇଥିଲେ । ଗୁରୁତର ଅବସ୍ଥାରେ ନିର୍ଭୟାକୁ ପ୍ରଥମେ ଦିଲ୍ଲୀ ଏମ୍ସ ଓ ପରେ ସିଙ୍ଗାପୁର ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ବର ୨୯ରେ ଆଖି ବୁଜିଥିଲେ ପୀଡିତା ।