ସୋସିଆଲ ମିଡିଆରେ ବିଜେଡି-ବିଜେପି ବାକ୍ ଯୁଦ୍ଧ । ଧର୍ମେନ୍ଦ୍ରଙ୍କୁ କିପରି ସମ୍ବଲପୁରବାସୀ ବିଶ୍ୱାସ କରିବେ ବୋଲି ପ୍ରଶ୍ନ କରିଥିଲେ ପ୍ରଣବ । ଜୟନାରାୟଣ ଦେଲେ ଜବାବ ।

225

କନକ ବ୍ୟୁରୋ: ଚର୍ଚ୍ଚାରେ ସମ୍ବଲପୁର ଲୋକସଭା ଆସନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିଦ୍ୱନ୍ଦିତା ଉପରେ ରହିଛି ନଜର । ଏହାର ଭିତରେ ସୋସିଆଲ ମିଡିଆରେ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ପ୍ରଣବ ପ୍ରକାଶ ଦାସ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି, ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ । କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି । ଯାହା ଉପରେ ନିଜ ଦଳ ବିଶ୍ୱାସ କରିପାରିଲା ନାହିଁ । ତାଙ୍କ ଉପରେ କ’ଣ ସମ୍ବଲପୁରବାସୀ ଭରସା କରିବେ? ସମ୍ବଲପୁରବାସୀ ସତର୍କ ହେବେ ଏବଂ ନିଜର ବହୁମୂଲ୍ୟ ମତ ଉଚିତ ଜାଗାରେ ବ୍ୟକ୍ତ କରିବେ ।

ଏହାର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ବଲପୁର ନୂଆ କଥା ନୁହେଁ । ସମ୍ବଲପୁର ସହ ତାଙ୍କର ନିବିଡ଼ ସମ୍ପର୍କ ରହିଛି । ସେ ଦେବଗଡ଼ରୁ ସାଂସଦ ହୋଇଥିଲେ । ଯାହାର ଅଧିକାଂଶ ଭାଗ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି । ସମ୍ବଲପୁର ଭୋଟରମାନେ ସଠିକ୍ ସମୟରେ ଉଚିତ୍ ଜବାବ ଦେବେ ବୋଲି ଲେଖିଛନ୍ତି ଜୟନାରାୟଣ ମିଶ୍ର ।