କାମ କଲା ପୁରୁଣା ଫର୍ମୁଲା । ସଫଳ ହେଲା ରାଟ୍ ହୋଲ୍ ମାଇନିଂ ପ୍ରୋସେସ । ସୁଡଙ୍ଗ ଭିତରେ ମୂଷା ଭଳି ହାତରେ ଖୋଳି ଖୋଳି ପହଞ୍ଚିଲେ ଦକ୍ଷ ଶ୍ରମିକ

697

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ୧୭ ଦିନର ଅପେକ୍ଷା । ଉଦ୍ଧାର ହେବେ ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୫ ଓଡିଆଙ୍କ ସମେତ ୪୧ ଜଣ ଶ୍ରମିକ । ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ନିକଟତର ହୋଇଛି ଏନଡିଆରଏଫ୍ ଟିମର ପାଇପ । ଏନଡିଆରଏଫ୍ ଟିମ୍ ପାଇପ୍ ଯୋଗେ ଶ୍ରମିକଙ୍କୁ ବାହାର କରିବେ । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପରିଜନଙ୍କୁ ସେମାନଙ୍କ ପୋଷାକ ଓ ବ୍ୟାଗ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ଉଦ୍ଧାର ହେବାକୁ ଥିବା ସ୍ଥାନରେ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି । ତେବେ କୁହାଯାଉଛି, ଶେଷ ମୂହୂର୍ତରେ କାମ ଦେଲା ପୁରୁଣା ଫର୍ମୁଲା ।

  • ଶ୍ରମିକଙ୍କ ପାଇଁ ବରଦାନ ରାଟ୍ ହୋଲ୍ ମାଇନିଂ
  • ଉଦ୍ଧାରର ଶେଷ ପର୍ଯ୍ୟୟରେ ହେଲା ସହାୟକ

ଆମେରିକାରୁ ଆସିଥିବା ଅଗର ମେସିନ ଭାଙ୍ଗିଯିବା ପରେ ଉଦ୍ଧାରକାରୀ ଦଳର ଚିନ୍ତା ବଢି ଯାଇଥିଲା । ହୋରାଇଜେଣ୍ଟାଲ ଅର୍ଥାତ ଭଗ୍ନାବଶେଷ ଦେଇ ସମାନ୍ତରାଳ ଖନନ ବେଳେ ବାରମ୍ବାର କଠିନ ଚଟାଣ ଆସିବାରୁ ଭାଙ୍ଗି ଯାଇଥିଲା ଡ୍ରିଲିଂ ମେସିନ୍ । ତେଣୁ ବିକଳ୍ପ ରାସ୍ତା କଥା ଚିନ୍ତା କରିଥିଲେ ଉଦ୍ଧାରକାରୀ ବିଶେଷଜ୍ଞ ଦଳ । ଏଥିପାଇଁ ରବିବାରଠାରୁ ପାହାଡର ଉପରପଟୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହେଲା । ପାହାଡର ଉପରପଟୁ ଗୁଡାଏ ବାଟ ଡ୍ରିଲିଂ ସରିଥିବାବେଳେ, ପୁଣି ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଖନନ ଆରମ୍ଭ ହେଲା । କିନ୍ତୁ ମେସିନ ସାହାଯ୍ୟରେ ଆଉ ଖନନ ସମ୍ଭବ ନହେବାରୁ ମାନୁଆଲ ଉପାୟରେ ଅର୍ଥାତ ଶ୍ରମିକମାନେ ହାତରେ ଖୋଳିବା ଆରମ୍ଭ କରିଥିଲେ ।

କ’ଣ ଏହି ରାଟ୍ ହୋଲ ମାଇନିଂ?

  • ନାଁରୁ ହିଁ ଜଣାପଡୁଛି ଯେ, ମୂଷା ଗାତ ଖୋଳିବା ପରି ଏହି ପ୍ରକ୍ରିୟା
  • ଲୁହାପଥର କିମ୍ବା କୋଇଲା ଖଣିରେ ଏଭଳି ଖନନ କରାଯାଏ
  • ମାଇନିଂ କରୁଥିବା ଶ୍ରମିକ ୪ ଫୁଟ୍ ଓସାରର ଗାତ ଖୋଳି ପ୍ରବେଶ କରନ୍ତି
  • ଗାତରେ ଥରକରେ କେବଳ ଜଣେ ଶ୍ରମିକ ହିଁ ପ୍ରବେଶ କରିପାରିବେ
  • କେବଳ ହାତରେ କିଛି ଉପକରଣ ଧରି ଧିରେଧିରେ ଗାତ ଖୋଳିବାକୁ ପଡେ
  • ଏହି ଗାତ ଦେଇ ଶ୍ରମିକଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ପାଇପ୍

ବିଜ୍ଞାନ ସମ୍ମତ ହୋଇନଥିବାରୁ ୨୦୧୪ରେ ରାଟ୍ ହୋଲ ମାଇନିଂକୁ ବ୍ୟାନ କରାଯାଇଥିଲା । ତଥାପି ଲୁଚାଛପାରେ ଏଭଳି ଖଣି ଖୋଳା ଚାଲିଥିବାରୁ ଏକାଧିକ ଅଘଟଣ ଘଟିଛି ଓ ଜୀବନ ଯାଇଛି । କିନ୍ତୁ ଦେଶର ସବୁଠୁ ବଡ ବିପଦ ବେଳେ ସେହି ବ୍ୟାନ ପ୍ରକ୍ରିୟା ହିଁ କାମରେ ଆସିଛି । ଏହି ପ୍ରକ୍ରିୟାକୁ କ୍ରିୟାନ୍ୱିତ କରିବା ପାଇଁ ୧୨ ଜଣ ସଦସ୍ୟ ବିଶିଷ୍ଟ ୨ ଟିକିଆ ଦଳ ଦିଲ୍ଲୀରୁ ଆସିଥିଲେ । ଯଦିଓ ଉତ୍ତରାଖଣ୍ଡ ସରକାରଙ୍କ ନୋଡାଲ ଅଧିକାରୀ ନୀରଜ ଖେରୱାଲ ଏମାନଙ୍କୁ ବିଶେଷଜ୍ଞ ବୋଲି ପରିଚୟ କରାଇଥିଲେ ।

ହାତରେ ଖୋଳି ଶ୍ରମିକମାନେ ଫସିରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ବାଟ ଖୋଲି ଦେଇଥିଲେ । ଏପଟେ ଶ୍ରମିକମାନେ ଉଦ୍ଧାର ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯିବା ପରେ ସୁଡଙ୍ଗ ବାହାରେ ପ୍ରସ୍ତୁତ ରଖାଯାଇଥିଲା ୪୧ଟି ଆମ୍ବୁଲାନ୍ସ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ ଉତ୍ତରାଖଣ୍ଡ ସରକାର । ସୁଡଙ୍ଗ ଭିତରେ ପ୍ରସ୍ତୁତ କରାଯାଇଥିଲା ୮ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ହସ୍ପିଟାଲ । ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତୟାର ହୋଇ ରହିଥିଲେ ବିଶେଷଜ୍ଞ ଡାକ୍ତର ।