ହାରିଲା ପାହାଡ, ଜିତିଲେ ଉଦ୍ଧାରକାରୀ ଦଳ । ୧୭ ଦିନର ସଂଘର୍ଷ ପରେ ଟନେଲରେ ଫସିିଥିବା ଶ୍ରମିକଙ୍କ ଅତି ପାଖରେ ଟିମ୍ । ଯେ କୌଣସି ସମୟରେ ହୋଇପାରନ୍ତି ଉଦ୍ଧାର

197

କନକ ବ୍ୟୁରୋ: ୧୭ ଦିନ ପରେ ସୂର୍ଯ୍ୟ ଦେଖିପାରନ୍ତି ଶ୍ରମିକ । ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଥିବାରୁ ଯେକୌଣସି ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇପାରେ । ସାରା ଦେଶରେ ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରିଥିଲେ ୧୪୦ କୋଟି ଜନତା । ଏବେ ଉଦ୍ଧାର କାର୍ଯ୍ୟରେ ଆସୁଥିବା ଅସୁବିଧାକୁ ଅତିକ୍ରମ କରି ଶ୍ରମିକଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ଦଳ ।

  • ୧୭ ଦିନର ସଂଘର୍ଷ
  • ସୁଡ଼ଙ୍ଗରେ ୪୧ ଶ୍ରମିକ
  • ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା

ଏ ସଂଗ୍ରାମ ସହଜ ନଥିଲା । ପାଦେ ପାଦେ ବିପଦ । ପ୍ରତି ମୁହୁର୍ତ୍ତରେ ଆହ୍ୱାନ । କେତେବେଳେ ମଣିଷ ଥକି ଯାଉଥିଲା । ଆଉ କେତେବେଳେ ମେସିନ୍ ନଇଁ ଯାଉଥିଲା । ଆଉ ଏହାରି ଭିତରେ ବନ୍ଧକ ଭଳି ଅଟକି ରହିଥିଲେ ୪୧ ଶ୍ରମିକ । ନା’ ସୂର୍ଯ୍ୟ ଦେଖିବାର ସୁଯୋଗ ଥିଲା, ନା’ ଜହ୍ନ ଦେଖିବାର ଅବକାଶ । ଉଦ୍ଧାରକାରୀ ଦଳ ପହଞ୍ଚାଇ ଦେଇଥିବା ମିଞ୍ଜି ମିଞ୍ଜି ଆଲୁଅ ଭିତରେ ଦିନରାତି ଅନୁଭବ କରିବାର ସୁଯୋଗ ବି ନଥିଲା ।

କ୍ୟାମେରାରେ କଏଦ ହୋଇଥିବା ଶ୍ରମିକଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା, ସେମାନଙ୍କ ଅସହାୟତା । କିଛି ସୀମିତ ସୀମା ଭିତରେ କଟୁଥିଲା ଶ୍ରମିକଙ୍କ ଜୀବନ । ଜଣେ ଆଉ ଜଣଙ୍କ ମୁହିଁ ଦେଖି, ପରସ୍ପରକୁ ସାନ୍ତ୍ୱନା ଦେଉଥିଲେ । ଆଉ କୌଣସି ବିକଳ୍ପ ନଥିଲା । ପରିବାର ଲୋକଙ୍କ ସହ କଥା ହେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା ସତ । ଶ୍ରମିକମାନେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ସତ । କିନ୍ତୁ କିଛି ପଦର କଥା, ୧୭ ଦିନର କଷ୍ଟକୁ ଲାଘବ କରିବା ପାଇଁ ଯଥେଷ୍ଟ ନଥିଲା ।

ସୁଡ଼ଙ୍ଗ ଭିତରେ ଶ୍ରମିକ, ବାହାରେ ଉଦ୍ଧାରକାରୀ ଦଳ । ଆଉ ସୁଡ଼ଙ୍ଗଠୁ ବହୁ ଦୂରରେ, ସାରା ଦେଶରେ ଏହି ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରୁଥିଲେ ୧୪୦ କୋଟି ଲୋକ । ଉଦ୍ଧାର କାର୍ଯ୍ୟରେ ଆସୁଥିବା ଅସୁବିଧାକୁ ଅତିକ୍ରମ କରି ଉଦ୍ଧାରକାରୀ ଦଳ ସଫଳତା ପାଆନ୍ତୁ । ଏହା ହିଁ ଥିଲା ସମସ୍ତଙ୍କ କାମନା ।

ସୂଚନାଯୋଗ୍ୟ ଯେ, ୧୨ ନଭେମ୍ବର ସକାଳର ସୂର୍ଯ୍ୟ ଉଇଁଲା ବେଳକୁ, ଅଘଟଣ ଘଟିସାରିଥିଲା । ଯେତେବେଳେ ସାରା ଭାରତରେ ଆଲୋକର ପର୍ବକୁ ନେଇ ଉତ୍ସାହ ଥିଲା, ସେତେବେଳେ ସୁଡ଼ଙ୍ଗ ସନ୍ଧିରେ ଫଶି ସାରିଥିଲେ ୪୧ ଶ୍ରମିକ । ଶ୍ରମିକଙ୍କ ସମ୍ପର୍କରେ ସୂଚନା ଆସିଲା ସତ, କିନ୍ତୁ ସେମାନଙ୍କୁ ଉଦ୍ଧାର କରିବା ସହଜ ନଥିଲା । ଏହାପରେ ସାରା ଦେଶରୁ ମେସିନ୍ ଆସିଲା । ବିଦେଶରୁ ବିଶେଷଜ୍ଞ ଆସିଲେ । ହେଲେ ଉଦ୍ଧାର ସମ୍ଭବ ହୋଇନଥିଲା । ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି । ହୁଏତ ଆଜି ହିଁ ସେମାନଙ୍କ ପାଇଁ ଦୀପାବଳି ।