ସୁବର୍ଣ୍ଣପୁର : ଟଙ୍କା ନଦେବାରୁ ନିଜ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

27

କନକ ବ୍ୟୁରୋ : ଟଙ୍କା ନଦେବାରୁ ନିଜ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଂଚଳର କୁଞ୍ଜାପାଲି ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ କୁଞ୍ଜାପାଲି ଗାଁର ୬୦ବର୍ଷ ବୟସ୍କ ବୃଦ୍ଧା ଶରତା ପଧାନ । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ଲିଙ୍ଗରାଜ ପଧାନ ଫେରାର୍ ହୋଇଯାଇଛି । ବୀରମହାରାଜ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ ହାତ ଖର୍ଚ୍ଚ ପାଇଁ ପୁଅ ଲିଙ୍ଗରାଜ ପଧାନ ମାଆ ଶରତାକୁ ଟଙ୍କା ମାଗିଥିଲା । ହେଲେ ଟଙ୍କା ଦେବାକୁ ମନା କରିବାକୁ ଉତ୍ୟକ୍ତ ହୋଇ ପାଖରେ ଥିବା ଟାଙ୍ଗିଆ ଧରି ମାଆକୁ ହାଣିଦେଇଥିଲା ଲିଙ୍ଗରାଜ । ପୁଅର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ଟଳିପଡି ମାଆର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରର୍ ହୋଇଯାଇଛି । ଅନ୍ୟପଟେ ବୀରମହାରାଜ ପୋଲିସ ଲିଙ୍ଗରାଜକୁ ଧରିବାକୁ ତନାଘନା ଚଲାଇଛି ।