ଅଧାରେ ରହିଲା ସୁନେଲି ଭବିଷ୍ୟତର ସ୍ୱପ୍ନ : ବଲାଙ୍ଗିରରେ ସ୍କୁଲ କର୍ତୃପକ୍ଷଙ୍କ ଅବହେଳାର ଶିକାର ହୋଇ ହାତ ହରାଇଲେ ଛାତ୍ର

34

ବଲାଙ୍ଗିର : ସ୍କୁଲ ଶୌଚାଳୟରେ ତାଲା ପଡିଥିବାରୁ ହାତ ହରାଇଲେ ଛାତ୍ର । ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ସୁବଲ ସେଲମାଙ୍କ ଅସ୍ତ୍ରୋପଚାର ପରେ ହାତ କାଟି ଦିଆଯାଇଛି । ପୁରା ଘଟଣାରେ ସ୍କୁଲ କର୍ତୃପକ୍ଷଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ ।

ସୁବଲ ସେଲମା । ପାଠ ପଢି ବଡ ମଣିଷ ହେବାର ସବୁ ସ୍ୱପ୍ନ ତାଙ୍କର ଚୁରମାର ହୋଇଯାଇଛି । ଯେଉଁ ହାତରେ ପାଠଲେଖି ସେ ନମ୍ବର ରଖିଥାନ୍ତେ ପରୀକ୍ଷା ପାସ କରିଥାନ୍ତେ ସେ ହାତ ଆଉ ନାହିଁ । ସବୁଠୁ ବଡ ବିଡମ୍ବନା ହେଲା, ସେ ପାଠ ପଢୁଥିବା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ହାତ ହରାଇଛନ୍ତି ସୁବଲ । ସବୁଦିନ ପରି ଗତ ଜୁଲାଇ ୫ ତାରିଖରେ ସ୍କୁଲ ଯାଇଥିଲେ ସୁବଲ । ହେଲେ ଶୌଚାଳୟରେ ତାଲା ପଡିଥିବାରୁ ବାଧ୍ୟହୋଇ ସେ ବାହାରକୁ ଯାଇଥିଲେ । ଆଉ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଗଲା । ଗତ ୧୨ ତାରିଖରେ ରାଉରକେଲାରେ ଅସ୍ତ୍ରୋପଚାର କରି ତାଙ୍କର ହାତ କାଟିବାକୁ ପଡିଥିଲା । ପୁଅର ଏ ଅବସ୍ଥା ଦେଖି ବାପା, ମାଆଙ୍କ ସବୁ ଆଶା ମଉଳି ଯାଇଛି । ସ୍କୁଲରେ ଶୌଚାଳୟ ନଥିବାରୁ ଘଟିିଗଲା ଏତେବଡ ଅଘଟଣ । ହେଲେ ଦୋଷ ମାନିବାକୁ ନାରାଜ କର୍ତୃପକ୍ଷ । କର୍ତୃପକ୍ଷ ସଫେଇ ଦେବାକୁ ଯାଇ କହିଛନ୍ତି କାହାରି ଅନୁମତି ନନେଇ ସେଦିନ ସ୍କୁଲରୁ ଚାଲିଯାଇଥିଲେ ସୁବଲ । ମାମଲାକୁ ଚପାଇ ଦେବା ପାଇଁ ପରିବାର ଉପରେ ସ୍କୁଲ ପକ୍ଷରୁ ଚାପ ପକାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ଅନ୍ୟପଟେ ସ୍କୁଲ ସମୟରେ ସୁବଲ କିପରି ବାହାରକୁ ଗଲା ଏବଂ କିଭଳି ଏହି ଅଘଟଣ ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ସବୁ ସ୍କୁଲରେ ଶୌଚାଳୟ ବ୍ୟବସ୍ଥା କରିବାକୁ କ୍ୟାମ୍ପେନ ଚାଲିଛି । ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି, ହେଲେ ସ୍କୁଲ ଶୌଚାଳୟରେ ତାଲା ପଡିଥିବାରୁ ଜଣେ ଛାତ୍ର ବାହାରକୁ ଯିବା ଓ ନିଜର ହାତ ହରାଇବା ଭଳି ସମ୍ବେଦନଶୀଳ ଘଟଣା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁବଲଙ୍କର କାହାଣୀ ଦେଖିବା ଏହି ଭିଡିଓରେ :