୨୦୦୦ରୁ ୨୦୨୨ । ନବୀନଙ୍କ ୨୨ ବର୍ଷର ଶାସନର କାହାଣୀ । ନା ଲୋକପ୍ରିୟତା କମିଛି ନା ପରାଜୟ ଛୁଇଁଛି । ଓଡ଼ିଶାବାସୀଙ୍କ ହୃଦୟ ଜିଣିଛନ୍ତି, ବିରୋଧୀଙ୍କ ମାତ୍ ଦେବାର କଳା ଜାଣିଛନ୍ତି ।
କନକ ବ୍ୟୁରୋ : ମେ’ ୨୯, ୨୦୨୨ । ଆଜିକୁ ଠିକ୍ ୩ ବର୍ଷ ତଳେ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଲଗାତାର ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ନବୀନ ପଟ୍ଟନାୟକ । ବିଶାଳ ଜନସମାବେଶ ଭିତରେ ନବୀନ ରେକର୍ଡ ୫ମ ଥର ପାଇଁ ଧରିଥିଲେ ଓଡ଼ିଶା ଶାସନର ମଙ୍ଗ । ୧୧୨ ଆସନରେ ବିଜେଡିର ନିରଙ୍କୁଶ ବିଜୟ ସହ ଓଡ଼ିଶାର ଶାସନ ଗାଦିରେ ବସିଥିଲେ ନବୀନ । ବିରୋଧୀ କେବଳ ମାତ୍ ଖାଇନଥିଲେ ବରଂ ସରକାର ଗଢିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଭାଙ୍ଗିଥିଲେ ବିଜେଡି ସୁପ୍ରିମୋ । ଆଉ ଏସବୁ ଭିତରେ ଆଜି ନବୀନଙ୍କ ପଞ୍ଚମ ପାଳିକୁ ତୃତୀୟ ବର୍ଷ ପୁରିଛି । କିନ୍ତୁ ଲଗାତାର ୨୨ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ କମିନି ନବୀନଙ୍କ କ୍ରେଜ । ପୂର୍ବପେକ୍ଷା ଲୋକପ୍ରିୟତା ବଢିଛି ଆଉ ତା ସାଙ୍ଗକୁ ରାଜ୍ୟବାସୀଙ୍କ ଭରସା ଓ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛନ୍ତି ନବୀନ । ଯାହାର ଝଲକ ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ନିର୍ବାଚନରେ ଦଳର ବୃହତ ବିଜୟ ହିଁ ସଂକେତ ଦେଇଛି ଯେ, ଏବେ ବି ଓଡ଼ିଶାବାସୀଙ୍କ ପ୍ରଥମ ପସନ୍ଦର ଚେହେରା ହେଉଛନ୍ତି ନବୀନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ରାଜନୀତି ଇତିହାସରେ ଗତ ୨୨ ବର୍ଷ ହେବ ଲମ୍ବା ରେସର ଘୋଡା ସାଜି ଉଭା ହୋଇଛନ୍ତି ନବୀନ । ନା ଲୋକପ୍ରିୟତା କମିଛି ନା ପରାଜୟ ଛୁଇଁଛି । ଓଡ଼ିଶା ରାଜନୀତିର ଜଣେ ଅପରିଚିତ ଚେହେରା ଥିବା ନବୀନ ଏହି ୨୨ ବର୍ଷ ଭିତରେ ରାଜ୍ୟର ପ୍ରତିଟି ଘରେ ଜଣେ ପରିଚିତ ନାଁ ପାଲଟି ସାରିଛନ୍ତି । ତେବେ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର କାହିଁକି ଏତେ ବିଶ୍ୱାସ? କାହିଁକି ବାରମ୍ବାର ନବୀନଙ୍କୁ ବିଜୟ ଭେଟି ଦେଉଛନ୍ତି ଓଡ଼ିଶାବାସୀ? ଆଉ ଏଭଳି ପ୍ରଶ୍ନର ଉତ୍ତର ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନା ଭିତରେ ଲୁଚି ରହିଛି ।
ଅପରିଚିତରୁ ଅପ୍ରତିଦ୍ୱନ୍ଦୀ, ଅପରାଜେୟ ଓ ଅଦ୍ୱିତୀୟ । ଦୀର୍ଘ ୨୨ ବର୍ଷ ହେବ ରାଜ୍ୟବାସୀଙ୍କ ଠାରୁ ନବୀନ ପାଇଥିବା ସବୁଠୁ ବଡ ପ୍ରମାଣପତ୍ର । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ ନବୀନ । ମହାବାତ୍ୟା ମାଡରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଉ ନେଉ ବିକାଶର ବୀଜ ବୁଣିଥିଲେ ନବୀନ । ଯାହା ତାଙ୍କର ଆଗାମୀ ରାଜନୈତିକ କ୍ୟାରିୟର ପାଇଁ ବିଜୟର ରାସ୍ତା ଖୋଲିଥିଲା । ନିଜ ଶାସନର ପ୍ରଥମ ପାଳିରେ ବିକାଶମୂଳକ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶାର ନିଅଁ ଖୋଳିଥିଲେ ନବୀନ । ଏହାଛଡା ପ୍ରଥମ ପାଳିରେ ଦୁନୀତିଗ୍ରସ୍ତ ନେତାଙ୍କୁ ଦଳରୁ ଆଉଟ କରି ରାଜ୍ୟବାସୀଙ୍କ ବିଶ୍ୱାସ ଜିଣିଥିଲେ ନବୀନ । ଯେଉଁଥିପାଇଁ ୨୦୦୪ରେ ପୁଣିଥରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ଶାସନଭାର ସମର୍ପି ଦେଇଥିଲେ ରାଜ୍ୟବାସୀ ।
୨୦୦୪ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଓଡ଼ିଶା ଉପରେ ଲାଗିଥିବା ଭୋକିଲା ରାଜ୍ୟର ଟ୍ୟାଗ୍ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନ । ରାଜ୍ୟର ଗରିବ ଲୋକଟିଏ ଯେପରି ଭୋକରେ ନ ରହୁ ସେଥିପାଇଁ ୨୦୦୮ରେ ନବୀନ ଆରମ୍ଭ କରିଥିଲେ ୨ ଟଙ୍କିଆ ଚାଉଳ ଯୋଜନା । ଆଉ ଏଭଳି ନିଷ୍ପତି ନବୀନଙ୍କ ତୃତୀୟ ପାଳି ପାଇଁ ବାଟ କଢାଇ ନେଇଥିଲା । ବିଜେପି ସହ ଥିବା ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ୨୦୦୯ ନିର୍ବାଚନରେ ନବୀନ ଓ ବିଜେଡିକୁ ମିଳିଥିଲା ବଡ ବିଜୟ । ଆଉ ଏହିଠାରୁ ନବୀନ ଆପଣାଇଥିଲେ ସମଦୂରତ୍ୱ ଫର୍ମୁଲା । ଯାହା ପରବର୍ତ୍ତୀ ସମୟରେ ନବୀନଙ୍କ ଶାସନଗାଦି ପାଇଁ ସବୁଠୁ ବଡ ସୁରକ୍ଷାକବଚ ସାଜି ଛିଡା ହୋଇଥିଲା । ତୃତୀୟ ଥର ଶାସନ ଗାଦିରେ ବସିବା ପରେ ଜନକଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ ନବୀନ । ଜରାୟୁରୁ ଜୁଇ ଯାଏଁ ବିଭିନ୍ନ ଯୋଜନା ଆଣି ଜନତାଙ୍କ ଭରସା ଜିତିଥିଲେ ନବୀନ । ଆଉ ଏହି ପାଳିରେ ନବୀନଙ୍କ ସବୁଠୁ ବଡ ଉପଲବ୍ଧି ଥିଲା ଏସଏଚଜି ଗ୍ରୁପ୍ ଗଠନ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ନବୀନ ଯେଉଁ ଐତିହାସିକ ପଦକ୍ଷେପ ନେଇଥିଲେ ତାହାର ଫାଇଦା ଏବେ ୭୦ ଲକ୍ଷ ମହିଳାଙ୍କୁ ମିଳୁଛି । ସେହିଭଳି ମମତା ଯୋଜନାରେ ଗର୍ଭବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ନବୀନଙ୍କ ପାଇଁ ବଡ ମହିଳା ଭୋଟବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଆଉ ଏହି ମହିଳା ଭୋଟବ୍ୟାଙ୍କ ହିଁ ୨୦୧୪ ନିର୍ବାଚନରେ ରାଜ୍ୟରେ ମୋଦି ଲହରକୁ ଅଟକାଇବାରେ ଯଥେଷ୍ଟ ସହାୟକ ହୋଇଥିଲା । କାମ କରିନଥିଲା ମୋଦି ମ୍ୟାଜିକ, ଫେଲ୍ ମାରିଥିଲା ବିଜେପି ଚାଣକ୍ୟଙ୍କ ରଣନୀତି । ଯେଉଁଥିପାଇଁ ପୁଣିଥରେ ୨୦୧୪ରେ ଚତୁର୍ଥ ଥର ପାଇଁ ବିଜୟ ବାନା ଉଡାଇଥିଲେ ନବୀନ ।
୨୦୧୪ରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆଉ ଚୁପ୍ ବସିନଥିଲେ ନବୀନ । ନୂଆ ନୂଆ ଯୋଜନା ସାମ୍ନାକୁ ଆଣି ପ୍ରତିଟି ପରିବାର ପାଖରେ ସେ ପହଞ୍ଚିବାକୁ ଆରମ୍ଭ କରିଥିଲେ ପ୍ରୟାସ । ଭୋକିଲାଙ୍କ ଭୋକ ଦୂର କରିବାକୁ ଆହାର, ସୁସ୍ଥ ଓଡ଼ିଶା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆଣି ନବୀନ ଯେଉଁ ମାଷ୍ଟରଷ୍ଟ୍ରୋକ ମାରିଥିଲେ ତାହା ବିରୋଧୀଙ୍କ ନିଦ ହଜାଇ ଦେଇଥିଲା । ନବୀନଙ୍କ ଏହି ନିଷ୍ପତି ଯୋଗୁଁ ଗରିବ ରୋଗୀ, ଚାଷୀ ଓ ଭୋକିଲା ଉପକୃତ ହୋଇଥିଲେ ଆଉ ବିରୋଧୀ ମାତ୍ ଖାଇଥିଲେ । ସେହିଭଳି ବିପର୍ଯ୍ୟୟ ମୁକାବିଲା ଉପରେ ଫୋକସ କରି ବାତ୍ୟା, ବନ୍ୟା ସମୟରେ ଜିରୋ କାଜୁଆଲିଟିର ସଂକଳ୍ପ ନେଇ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲେ । କିଛି ଏଭଳି ନିଷ୍ପତି ଯୋଗୁଁ ନବୀନଙ୍କ ପ୍ରତି ଥିବା ଲୋକଙ୍କ ଭରସା ଓ ବିଶ୍ୱାସ ଆହୁରି ଦୃଢ ହୋଇଥିଲା । ଯେଉଁଥିପାଇଁ ୨୦୧୯ରେ ପଞ୍ଚମଥର ପାଇଁ ନବୀନଙ୍କ ସପକ୍ଷରେ ଭରସାର ଭୋଟ ଦେଇଥିଲେ ରାଜ୍ୟବାସୀ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ।
ଆଉ ପଞ୍ଚମ ପାଳିକୁ ଆଜି ୩ ବର୍ଷ ପୂରିଛି । କିନ୍ତୁ ଏହି ୩ ବର୍ଷ ମଧ୍ୟରେ ନବୀନ ଏମିତି ଅନେକ ଐତିହାସିକ ପଦକ୍ଷେପ ଓ ନିଷ୍ପତି ନେଇଛନ୍ତି ଯାହା ତାଙ୍କର ଲୋକପ୍ରିୟତାକୁ ଆହୁରି ବଢାଇ ଦେଇଛି । ମହାମାରୀ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ପୂରା ଦେଶ ଅନୁକରଣ କରିବା ସହ ନବୀନଙ୍କର ଭୂରି ଭୂରି ପ୍ରଂଶସା କରିଥିଲା । ଏପରିକି ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ଦରବାରରେ ଉଦାହରଣ ସାଜି ଉଭା ହୋଇଥିଲା ଓଡ଼ିଶା । ସେହିଭଳି ମନ୍ଦିରର ନବକଳେବର ଠାରୁ ମୋ ସରକାର, କଳା ଠାରୁ କ୍ରୀଡା ପ୍ରତି କ୍ଷେତ୍ରରେ ଦେଖିବାକୁ ମିଳିଛି ନବୀନ ସରକାରର ପାରଦର୍ଶିତା । ଯେଉଁଥିପାଇଁ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଛି ଅଦ୍ଭୁତପୂର୍ବ ସଫଳତା । ଏହାବାଦ୍ ଦୁର୍ନୀତିଗ୍ରସ୍ତ ନେତା ଓ ବାବୁଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ତ ପୁଣି କେତେବେଳେ ମନ୍ଦିରର ସୌନ୍ଦଯ୍ୟକରଣ ତ ଆଉ କେତେବେଳେ ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ମେଡିକାଲ ନିର୍ମାଣର ପ୍ରତିଶ୍ରୁତି ଦେଇ ନବୀନ ନିଜର ଷଷ୍ଠ ପାଳି ପାଇଁ ମାର୍ଗ ପ୍ରଶସ୍ତ କରୁଥିବା କୁହାଯାଉଛି ।
ଲୋକପ୍ରିୟ ଓ ଦୁର୍ନୀତିମୁକ୍ତ ସରକାର, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା, ମହିଳାଙ୍କୁ ଗୁରୁତ୍ୱ, କ୍ରିୟାଶୀଳ ପ୍ରଶାସନ, ସ୍ୱଚ୍ଛ ଶାସନ । ନବୀନଙ୍କ ଲଗାତାର ବିଜୟ ପଛର ସବୁଠୁ ବଡ ପୁଞ୍ଜି । ଦୀର୍ଘ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ନିଜ ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏଯାଏଁ ପରାଜୟ କଣ ଜାଣିନାହାନ୍ତି । ଯେଉଁଥିପାଇଁ ସେ ଅପରାଜୟ ଓ ଅପ୍ରତିଦ୍ୱନ୍ଦୀ ନେତାର ଟ୍ୟାଗ୍ ପାଇଛନ୍ତି । ସେହିଭଳି ନିଜ ଶାସନ କାଳ ଭିତରେ ନବୀନ ଏମିତି କିଛି ନିଷ୍ପତି ନେଇଛନ୍ତି ଯାହାକୁ ଆପଣାଇଛି ପୂରା ଦେଶ । ଯାହା ତାଙ୍କୁ ଅଦ୍ୱିତୀୟ ନେତା ଭାବେ ଗଢିତୋଳିଛି । ଏସବୁ ବାଦ୍ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ପରିବାର କହି ଆସୁଥିବା ନବୀନଙ୍କୁ ରାଜ୍ୟବାସୀ ବିକାଶର ବିନ୍ଧାଣୀ ତଥା ଜନପ୍ରିୟ ନେତାର ପରିଚୟ ଦେଇଛନ୍ତି ।