ଆଜି ସରିବ ବ୍ରଜରାଜନଗରର ଉପନିର୍ବାଚନ ପ୍ରଚାର: ପ୍ରାର୍ଥୀଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭି ୱେଟ ନେତା

103

କନକ ବ୍ୟୁରୋ: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟର ତିନି ପ୍ରମୁଖ ଦଳର ନେତା ମାରାଥନ ପ୍ରଚାର କରି ଶେଷ ଦିନରେ ଭୋଟରଙ୍କ ମୁଡ ବଦଳାଇବାକୁ ଉଦ୍ୟମ କରିବେ । ରାଲି, ରୋଡ ସୋ, ପ୍ରଚାର ସଭା କରି ଭୋଟରଙ୍କ ମନ ଜିଣିବାକୁ ସମସ୍ତ ପ୍ରକାର ରଣକୌଶଳ ଆପଣେଇବେ ପ୍ରାର୍ଥୀ ଓ ରାଜନେତା । ରାଜ୍ୟର ତିନି ପ୍ରମୁଖ ଦଳ ପକ୍ଷରୁ ଶେଷ ଦିନର ପ୍ରଚାରରେ ହେଭିୱେଟ ପ୍ରାର୍ଥୀଙ୍କ ସହ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବେ ।

ହାତରେ ଥିବା ମାତ୍ର ୧୨ ଘଂଟାରେ ଝାଳବୁହା ପ୍ରଚାର କରି ଲୋକଙ୍କ ହୃଦୟ ଜିଣିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଲୋକଙ୍କ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ । ବିଜୁ ଜନତା ଦଳ ପ୍ରାର୍ଥୀ ଅଳକା ମହାନ୍ତି, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆଜି ସନ୍ଧ୍ୟାରେ ପ୍ରଚାର ସରିବ, ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।