ଗୋପପୁରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା: କଂସର ଷଡଯନ୍ତ୍ରକୁ ପଣ୍ଡ କଲେ ବେନିଭାଇ, ରାକ୍ଷସୀ ପୁତନା ସହ ଷଡମଲ୍ଲଙ୍କୁ ବଧ କଲେ କୃଷ୍ଣ

99

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ପଂଚମ ଦିନ । କୃଷ୍ଣ-ବଳରାମ ହାତରେ ରାକ୍ଷସୀ ପୁତନା ଓ ଷଡମଲ୍ଲଙ୍କ ମୃତ୍ୟୁ ପରେ ହତାଶ ହୋଇପଡିଛନ୍ତି କଂସ ମହାରାଜ । ବେନିଭାଇଙ୍କୁ ମାରିବା ପାଇଁ ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗୋପପୁରକୁ ଚିଟାଉ ପଠାଇଛନ୍ତି । ଆଜି ମୁକ୍ତାକାଶ ରଙ୍ଗମଂଚରେ କାହ୍ନାଙ୍କ ଦହିଚୋରି, କାଳୀୟ ଦଳନ ଦୃଶ୍ୟ ଅଭିନୀତ ହେବ । ଗତକାଲି ଧନୁଯାତ୍ରାରେ ଅଭିନୀତ ପୁତନା ଓ ଷଡମଲ୍ଲଙ୍କ ବଧ ସହ କଂସଙ୍କ ଦିଗବିଜୟ ଅଭିଯାନକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ ।

ବିଜୁଳି କନ୍ୟାଙ୍କ ଦୈବୀବାଣୀ ପରେ ବିଚଳିତ ହୋଇଛନ୍ତି ମହାରାଜ କଂସ । ଆଉ କୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ ରାକ୍ଷସୀ ପୁତନା ଓ ଷଡ ମଲ୍ଲଙ୍କୁ ଗୋପପୁର ପଠାଇଛନ୍ତି ।

ସେପଟେ ଶ୍ରୀକୃଷ୍ଣଙ୍କ ଜନ୍ମପରେ ଗୋପପୁରରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । ଘରେ ଘରେ ପୁଜାର୍ଚନା ଚାଲିଛି, ନାମ ସଂକୀର୍ତନ ଯଜ୍ଞ ଚାଲିଛି । ଆଉ ନନ୍ଦଙ୍କ ଘରେ ଶଶିକଳା ଭଳି ବଢୁଛନ୍ତି କାହ୍ନା ବଳରାମ । ଦିନେ ମାଟି ଖାଉଥିବା ବେଳେ ମାଆ ଯଶୋଦାଙ୍କ ହାତରେ ଧରା ପଡିଛନ୍ତି ଶ୍ରୀକୃଷ୍ଣ । ଆଉ ଶ୍ରୀକୃଷ୍ଣ ମୁଖରେ ଯଶୋଦା ବିଶ୍ୱରୂପ ଦର୍ଶନ କରିବା ଦୃଶ୍ୟ ଅଭିନୀତ ହୋଇଛି । ସେହିପରି ଗୋପାଳଙ୍କ ସହ ଖେଳକୁଦ ଭିତରେ ବିତୁଛି ଦୁଇ ଭାଇଙ୍କ ଦିନ । ଏହି ସମୟରେ ମଉକା ଦେଖି କୃଷ୍ଣ-ବଳରାମଙ୍କୁ ହତ୍ୟା କରିବାକୁ ଆସି ଗୋଟିଏ ପରେ ଗୋଟିଏ ଷଡ ମଲ୍ଲ ନିପାତ ହୋଇଛନ୍ତି । ବକାସୁର, ଶକଟାସୁର, ତୃଣା, ଧେନୁ, ଷଣ୍ଢାସୁର ଆଦି କଂସଙ୍କ ୬ଟି ଯୋଦ୍ଧାଙ୍କୁ ବିନାଶ କରିଛନ୍ତି କୃଷ୍ଣ-ବଳରାମ । ଶ୍ରୀକୃଷ୍ଣଙ୍କ ଛଳନାରେ ବିଷ କ୍ଷୀର ପିଆଇ ମାରିବାକୁ ଆସି ପୁତନା ମଧ୍ୟ ପ୍ରାଣ ହରାଇଛି ।

ସେପଟେ ସୈନ୍ୟସାମନ୍ତଙ୍କୁ ନେଇ ଦିଗବିଜୟ ଅଭିଯାନରେ ବାହାରିଛନ୍ତି ମହାରାଜ କଂସ । ଲବଣା ସୁରକୁ ଯୁଦ୍ଧରେ ପରାସ୍ତ କରିବା ପରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଛନ୍ତି । ଆଉ ଏହି ଖୁସି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତ ଉପଭୋଗ କରିଛନ୍ତି ମଥୁରା ନରେଶ । ଠିକ୍ ଏତିକି ବେଳେ ଗୋପପୁରରୁ ଆସିଛି ପୁତନା ଓ ଷଡ ମଲ୍ଲଙ୍କ ନିଧନ ଖବର । ଖବର ଶୁଣି ମହାରାଜ କଂସ ବିଚଳିତ ହୋଇପଡିଛନ୍ତି ।

ଗୋପୁରରେ ଥିବା କୃଷ୍ଣ-ବଳରାମଙ୍କୁ ହତ୍ୟା କରିବା ପାଇଁ ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ନୂଆ ଷଡ ଯନ୍ତ୍ର ରଚିଛନ୍ତି କଂସ । ରାଣୀ ପଦ୍ମାବତୀ ଧନ୍ନତରୀ ଓଷା ପାଇଁ ଲକ୍ଷେ ଭାର ପଦ୍ମ ପଠାଇବା ପାଇଁ ଗୋପପୁରକୁ ଚିଟାଉ ପଠାଇଛନ୍ତି । ଆଉ କାଳୀୟ ହ୍ରଦରେ ପଦ୍ମ ତୋଳିବାକୁ ଯାଇ ନାଗ ଦଂଶନରେ କୃଷ୍ଣଙ୍କ ମୃତ୍ୟୁ ହେବ ଚିନ୍ତା କରି ଉଲ୍ଲସିତ ହୋଇଛନ୍ତି ।ଧନୁ ଯାତ୍ରାର ଚତୁର୍ଥ ଦିନରେ ଭୀମସାର ନିର୍ଦ୍ଦେଶକ ଲଳିତ ମେହେର ଏବଂ ଓଡିଶା ଡାକସେବା ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବାରିକ ରାଜ ଅତିଥି ଭାବେ ସାମିଲ ହୋଇଥିଲେ ।

ଧନୁଯାତ୍ରାର ପଂଚମ ଦିନରେ କୃଷ୍ଣ-ବଳରାମଙ୍କ ଗୋଚାରଣ, ଗୋ ଉପସନା ସହ ଦହି ଚୋରି, ଜାମଳା-ଅର୍ଜୁନ ମାନ ଭଞ୍ଜନ ଓ କାଳୀୟ ଦଳନ ଦୃଶ୍ୟ ପରିବେଷଣ ହେବ ।