ଚାରା ରୋପଣରେ ସାଂଘାତିକ ଦୁର୍ନୀତି: ବନୀକରଣ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା

103

କନକ ବ୍ୟୁରୋ: ଚାରା ରୋପଣରେ ସାଂଘାତିକ ଦୁର୍ନୀତି । ବନିକରଣ କରିବା ନାଁରେ ଲକ୍ଷ-ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ପୁରୀ ଜଲ୍ଲା ଡେଲାଙ୍ଗ ବ୍ଲକର କୁମୁକା ଫରେଷ୍ଟ ବିଟ୍ ଅଂଚଳରୁ । ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ମୁଖ୍ୟମନ୍ତ୍ରୀ ଏଠାରେ ଚାରା ରୋପଣର ଶୁଭାରମ୍ଭ କରିଥିଲେ । କିନ୍ତୁ ଚାରାରୋପଣ କେବଳ ଫଳକରେ ରହିଯାଇଛି । ପ୍ରାୟ ୫୩୫ ହେକ୍ଟର ବିଶିଷ୍ଟ ଜଙ୍ଗଲରେ ୧୬ ହଜାର ଚାରା ରୋପଣ କରାଯାଇଥିବା କଥା ଫଳକରେ ଲେଖା ଯାଇଥିବା ବେଳେ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ । ପ୍ରକଳ୍ପ ଭିତରେ କେବଳ ଗୃହପାଳିତ ପଶୁ ଚଳୁଥିବା ଦେଖାଯାଇଛି । ଏପରିକି ଟାଙ୍ଗରାମୁଣ୍ଡିଆ ଉପରେ ତରବରିଆ ଭାବେ ଡିସେମ୍ବର ମାସରେ ଚାରା ରୋପଣ କରାଯାଇଥିବା ଦେଖାଯାଇଛି । ପ୍ରତିବର୍ଷ ଏଭଳି ଚାରାରୋପଣ ପାଇଁ ଲକ୍ଷାଧିକ ଟଙ୍କା ଆସୁଛି କିନ୍ତୁ ବନବିଭାଗର ମନମୁଖୀ କାର୍ଯ୍ୟକଳାପ ପାଇଁ ଏହି ଟଙ୍କା ପାଣିରେ ପଡୁଛି । ଏନେଇ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଡିଏଫଓ । କହିଛନ୍ତି ଆମେ ବଗିଚା କରୁନୁ ଯେ ଗଛରେ ପାଣିଦେବୁ ।