ଗାନ୍ଧୀ ପରିବାର ପାଇଁ ନୂଆବର୍ଷରେ ମିଳିପାରେ ନୂଆ ଉପହାର, ବରୁଣ ଗାନ୍ଧୀ କଂଗ୍ରେସରେ ଯୋଗଦେବା ନେଇ ଜୋରଧରିଲା ଚର୍ଚ୍ଚା

208

କନକ ବ୍ୟୁରୋ : ରାତି ପାହିଲେ ନୂଆ ବର୍ଷ । ସମସ୍ତେ ନୂଆ ଆଶା ନେଇ ଆଜି ପୁରୁଣା ବର୍ଷକୁ ବିଦାୟ ଦେଉଥିବା ବେଳେ ଆସନ୍ତା କାଲି ଠାରୁ ପୁଣିଏକ ବର୍ଷର ଆରମ୍ଭ ହେବାକୁ ଯାଉଛି । ହେଲେ ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ୱାଗତ କରିବା ଭିତରେ ଗାନ୍ଧୀ ପରିବାର ପାଇଁ ନୂଆ ଖବର ଆସିବା ନେଇ ଚର୍ଚ୍ଚା ହେଉଛି । ଦୀର୍ଘ ଦିନରୁ ଗାନ୍ଧୀ ପରିବାରରୁ ଅଲଗା ରହୁଥିବା ସଂଜୟ ଗାନ୍ଧୀଙ୍କ ପତ୍ନୀ ମେନକା ଗାନ୍ଧୀ ଓ ତାଙ୍କପୁଅ ବରୁଣ ଗାନ୍ଧୀ ପୁଣିଥରେ ଗାନ୍ଧୀ ପରିବାର ସହ ଏକଜୁଟ ହୋଇପାରନ୍ତି ।

ସେପଟେ ଉତ୍ତର ପ୍ରଦେଶ ପିଲିଭିତରୁ ବିଜେପି ସାଂସଦ ଥିବା ବରୁଣ ଗାନ୍ଧୀ ଦିନକୁ ଦିନ ବିଜେପି ଉପରେ ବିଷ ଓଗାଳିବାରେ ଲାଗିଛନ୍ତି । ଏହାକୁ ଦେଖି ଅନୁମାନ କରାଯାଉଛି କି ସେ କଂଗ୍ରେସରେ ଯୋଗଦେଇ ପାରନ୍ତି । କିଛିଦିନ ପୂର୍ବରୁ ହିନ୍ଦୁ-ମୁସଲିମକୁ ନେଇ ସେ ବିଜେପି ବିରୋଧରେ ବର୍ଷିଥିବା ବେଳେ ଚାଷୀ ଆନ୍ଦୋଳନ ସମୟରେ ସେ ଖୋଲାଖୁଲି ଭାବେ ବିଜେପିକୁ ବିରୋଧ କରିବା ସହ କୃଷକମାନଙ୍କ ସପକ୍ଷରେ ମତ ରଖିଥିଲେ ।

ଏହିସବୁ କାରଣକୁ ନେଇ ଏବେ ଚର୍ଚ୍ଚା ହେଉଛି କି ବରୁଣ ଗାନ୍ଧୀ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ପାରନ୍ତି । ଏନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ତଥା ଭାରତ ଯୋଡ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧୀ । ସେ ଏହାକୁ ସ୍ପଷ୍ଟଭାବେ ସ୍ୱୀକାର କରିନଥିଲେ ବି ସେ କହିଛନ୍ତି ବରୁଣ ଗାନ୍ଧୀ କଂଗ୍ରେସରେ ସାମିଲ ହେବେ କି ନାହିଁ ତାହା ମଲ୍ଲିକାର୍ଜୁନ ଖଡଗେ କହିପାରିବେ । ହେଲେ ଏବେ ସେ ବିଜେପିରେ ଥିବାରୁ ତାଙ୍କୁ ଅସୁବିଧା ହୋଇପାରେ । ଅନ୍ୟପଟେ ବରୁଣ ଗାନ୍ଧୀ କିଛିଦିନ ତଳେ ଏକ ବୟାନ ଦେଇଥିଲେ ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓରେ ବରୁଣ ଗାନ୍ଧୀ କହୁଛନ୍ତି କି ନା ମୁଁ କଂଗ୍ରେସ ବିରୋଧରେ ନା ନେହରୁଙ୍କ ବିରୋଧୀ । ଆମ ଦେଶର ରାଜନୀତି ଦେଶକୁ ଯୋଡିବା ପାଇଁ ହେଉ ବୋଲି ସେ କହିଥିଲେ ।