ଲୋକଙ୍କ ଆକ୍ରୋସରେ ଶିକାର ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ବାସଭବନ ଛାଡି ପଳାଇଥିବା ସୂଚନା

216

କନକ ବ୍ୟୁରୋ : ଥରେ ଜନତା ରାଗିଲେ ସେମାନେ କେଉଁ ସ୍ତରକୁ ଯାଇ ପାରନ୍ତି ତାହାର ଉଦାହରଣ ଆଜି ଦେଖିବାକୁ ମିଳିଛି ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ । ଏଠାରେ ଦୀର୍ଘଦିନ ହେବ ଆର୍ଥିକ ସ୍ଥିତି ଓ ମହାଙ୍ଗା ମାଡରେ ଅସ୍ତବ୍ୟସ୍ତ ଲୋକ ଆଜି ସିଧା ସଳଖ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ତାଙ୍କ ବାସଭବନରେ ଘେରିଥିଲେ । ଏହାପରେ ରାଷ୍ଟ୍ରପତି ତାଙ୍କ ବାସଭବନ ଛାଡି କେଉଁଆଡେ ପଳାଇଯାଇଥିବା କୁହାଯାଉଛି ।

ସୂଚନା ଥାଉ କି ଆର୍ଥିକ ସଂକଟ ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏନେଇ ଶ୍ରୀଲଙ୍କାର ନାଗରିକମାନେ ଶନିବାର ଦିନ ରାଷ୍ଟ୍ରପତି ଗୋଟାବାୟାଙ୍କ ବାସଭବନ ଘେରିବା ସହ ପ୍ରଦର୍ଶନ କରିଥିଲେ । ଏହାପରେ ରାଷ୍ଟ୍ରପତି ତାଙ୍କ ବାସଭବନ ଛାଡି କୁଆଡେ ପଳାଇଥିବା କଥା ଶ୍ରୀଲଙ୍କା ରକ୍ଷା ବିଭାଗ ଦାବି କରିଛି ।

କୁହାଯାଉଛି କି ଶନିବାର ଦିନ ପ୍ରଦର୍ଶନକାରୀମାନେ ଗୋଟାବାୟାଙ୍କ ବାସଭବନ ନିକଟରେ ପହଂଚି ଭଙ୍ଗାରୁଜା କରିଥିଲେ । ସେମାନେ ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ । ଏସବୁ ଭିତରେ ଗୋଟାବାୟା କେଉଁଆଡେ ପଳାଇ ଯାଇଥିବା କୁହାଯାଇଛି ।
ସେପଟେ ଶୁକ୍ରବାର ଦିନ ଶ୍ରୀଲଙ୍କାରେ ଅନିଶ୍ଚିନ୍ତ କାଳ ପାଇଁ କର୍ଫ୍ୟୁ ଲଗାଯାଇଥିଲା । ଏହାସହ ସେନାକୁ ବି ଜାଗ୍ରତ କରିଥିଲେ ଶ୍ରୀଲଙ୍କା ସରକାର । ଶ୍ରୀଲଙ୍କା ପୋଲିସ ପ୍ରମୁଖ ଚନ୍ଦନା ବିକ୍ରମ ରତନେ କହିଛନ୍ତି କି ରାଜଧାନୀ କଲମ୍ବୋ ଓ ତାର ଆଖପାଖ ଅଞ୍ଚଳରେ ହଜାର ହଜାର ପ୍ରଦର୍ଶନକାରୀ ପ୍ରବେଶ କରିବା ଫଳରେ ଶୁକ୍ରବାର ରାତିରେ କର୍ଫ୍ୟୁ ଲଗାଯାଇଥିଲା ।