ବିନା ଭିତ୍ତିଭୂମିରେ କୋରାପୁଟରେ ଚାଲିଛି କ୍ରୀଡାର ବିକାଶ: ପଡିଆ ନଥାଇ ଚାଲିଛି ଖେଳ

59

କନକ ବ୍ୟୁରୋ: ଆରଟିଆଇ ତଥ୍ୟରେ ମହା ଖୋଲାସା । କନକ ନ୍ୟୁଜ ହାତରେ ଆରଟିଆଇ ତଥ୍ୟର ପୁରା ଚିଠା । ବର୍ଷେ କି ୨ ବର୍ଷ ନୁହଁ ପୁରା ୨୦ ବର୍ଷର ତଥ୍ୟ । ବିନା ଭିତି ଭୁମିରେ କୋରାପୁଟ ଜିଲ୍ଳାରେ ଚାଲିଛି ଖେଳ । ପଡ଼ିଆ ନଥାଇ ଖେଳ ଚାଲିଥିବା ବେଳେ ପଞ୍ଜିକରଣ ନଥାଇ ସଂଘ ଚାଲିଥିବା ସରକାରୀ ଖାତାରେ କୁହାଯାଉଛି । ଆଉ ଏହାରି ଭିତରେ ଭବିଷ୍ୟତର ବାଟ ଖୋଜୁଛନ୍ତି କ୍ରୀଡା ପ୍ରତିଭା । ନା ଆଗକୁ ବଢି ପାରୁଛନ୍ତି, ନା ଜିଲ୍ଳାରେ ଖେଳର ବିକାଶ ହେଉଛି ।

ଗ୍ରାମାଂଚଳ କ୍ରୀଡାର ବିକାଶ ପାଇଁ ସରକାର ଯୋଜନା କରୁଛନ୍ତି ହେଲେ, କୋରାପୁଟରେ ଖେଳରେ ସେମିତି କିଛି ବିକାଶ ହୋଇପାରୁନାହିଁ । ଯାହାର ପ୍ରମାଣ ୨୦ ବର୍ଷର ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଛି । ସରକାରୀ ନିୟମକୁ ଫୁ କରି ସଂଘ ତିଆରି ହୋଇଛି । କେଉଁ କ୍ଷେତ୍ରରେ କେତେ ପଇସା ଆସିଲା କେଉଁ ବିଭାଗ କେତେ ଦେଲା ତାର କୌଣସି ହିସାବ ନାହିଁ । ନିଜକୁ ସୁହାଇଲା ଭଳି ସଭାପତି ଓ ସମ୍ପାଦକ ନିଯୁକ୍ତି କରି କାଗଜ କଲମରେ ଚାଲିଛି କ୍ରୀଡ଼ା ସଂଘ । ଜିଲ୍ଳାର ଖେଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଳାପାଳ ମଧ୍ୟ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ।

କୋରାପୁଟ ଜିଲ୍ଲାର ଖେଳ କେବଳ ସ୍କୁଲ ଓ କଲେଜରେ ସୀମିତ ରହିଛି । ଜୟପୁର ସବଡ଼ିଭିଜନରେ ୨୯ଟି କ୍ରୀଡା ସଂଘ ରହିଛି । ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ସଂଘ ରହିଥିବା ବେଳେ ସରକାରୀ ଖାତାରେ ଗୋଟିଏ ବି ପଂଜିକୃତ ନୁହେଁ । ତେବେ ଗତ ୨୦ ବର୍ଷରେ ଜିଲ୍ଳାରେ ଖେଳ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ସରକାରୀ ଯୋଜନାରେ କେତେ ପିଲା ଉପକୃତ ହୋଇଛନ୍ତି? ଜଣେ ପୂର୍ବତନ ଖେଳାଳି ଏମିତି କିଛି ପ୍ରଶ୍ନ କରିଥିବା ବେଳେ ତଦନ୍ତ ପାଇଁ ଖୁବ୍ଶୀଘ୍ର ବୈଠକ ଡ଼କାଯିବ ବୋଲି ଜୟପୁର ଉପଜିଲ୍ଳାପାଳ କହିଛନ୍ତି ।

ଖେଳର ବିକାଶ ପାଇଁ ସରକାର ଯୋଜନା କରିଛନ୍ତି । ହେଲେ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଖେଳ ବିକାଶରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଖେଳ ଓ ଖେଳାଳି ଏବେ ଭବିଷ୍ୟତ ଖୋଜୁଛନ୍ତି ।