ଗାଡି ଚାଳକଙ୍କ ପାଇଁ ଖୁସିଖବର ! ଏଣିକି ଆପଣଙ୍କର ଏହି ବଡ ଭୁଲ୍ ପାଇଁ ବି ଚାଲାଣ କାଟିବ ନାହିଁ ଟ୍ରାଫିକ୍ ପୁଲିସ

20

ଏଣିକି ଜନଗହଳୀପୂର୍ଣ୍ଣ ସ୍ଥାନରେ ଦ୍ରୁତ ବେଗରେ ଡ୍ରାଇଭିଂ କରିବା ଉପରେ ପୁଲିସ ଆପଣଙ୍କଠାରୁ କୌଣସି ଚାଲାଣ କାଟିବ ନାହିଁ । ସହରାଂଚଳରେ ଆପଣ ୭୦ କିଲୋମିଟର ପ୍ରତି ଘଂଟାର ବେଗରେ ଗାଡି ଚଲାଇ ପାରିବେ । ତେବେ ଏକଥା ଆମେ କହୁନାହିଁ ବରଂ ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅନୁମତି ମିଳିଛି । କେନ୍ଦ୍ର ସରକାର ସହରାଂଚଳମାନଙ୍କରେ ଗାଡି ଚଲାଇବା ଗତିର ସୀମାକୁ ସର୍ବାଧିକ ୭୦ କିଲୋମିଟର ପ୍ରତି ଘଂଟା ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି । ପୂର୍ବରୁ ଏହା ୬୦ କିଲୋମିଟର ପ୍ରତି ଘଂଟା ରହିଥିଲା ।

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସହରାଞ୍ଚଳ ରାସ୍ତାରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ କାର, ୬୦ କିଲୋମିଟର ବେଗରେ ମାଲବାହୀ ଗାଡ଼ି ଏବଂ ୫୦ କିଲୋମିଟର ବେଗରେ ଦୁଇ ଚକିଆ ଯାନ ଚଳାଇବାକୁ ଅନୁମତି ଦେଇଛନ୍ତି । କିନ୍ତୁ, ରାସ୍ତାରେ ଯାତାୟାତ କରୁଥିବା ଅନ୍ୟମାନଙ୍କର ନିରାପତ୍ତା ଦୃଷ୍ଟିରୁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଅନୁମୋଦିତ ବେଗ ସୀମାକୁ କମାଇ ପାରିବେ । ଏ ପର୍ଯ୍ୟନ୍ତ ସଡ଼କ ପରିବହନ ମନ୍ତ୍ରାଳୟ ବିଭିନ୍ନ ବର୍ଗର ଯାନବାହନ ପାଇଁ ଜାତୀୟ ସର୍ବାଧିକ ବେଗ ସୀମା ସ୍ଥିର କରିଆସୁଥିଲେ । କିନ୍ତୁ, ବର୍ଗୀକରଣ ହୋଇ ନ ଥିବା ରାସ୍ତାଗୁଡ଼ିକରେ ଗାଡ଼ିର ବେଗ ନିର୍ଦ୍ଧାରଣ କରିବା ଦାୟିତ୍ୱ ରାଜ୍ୟ ସରକାର କିଂବା ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ନିଷ୍ପତ୍ତି ପାଇଁ ଛାଡ଼ି ଦିଆଯାଉଥିଲା । ସମ୍ପ୍ରତି ସ୍ଥାନୀୟ କର୍ତ୍ତୃପକ୍ଷମାନେ ସ୍ଥିର କରିଥିବା ସହରାଞ୍ଚଳ ପାଇଁ ବେଗ ରହିଛି ୪୦-୪୫ କିଲୋମିଟର । ଏବେ ସହରାଞ୍ଚଳରେ ରିଙ୍ଗ ରୋଡ ଏବଂ ଅନ୍ୟାନ୍ୟ ବହୁ ପ୍ରକାରର ରାସ୍ତା ତିଆରି ହେଉ ଥିବାରୁ ମନ୍ତ୍ରାଳୟ ଗାଡ଼ିର ବେଗ ବଢ଼ାଇବାକୁ ସ୍ଥିର କରିଛି ।

ବୁଧବାର ଦିନ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଚାରିଟି ବର୍ଗର ରାସ୍ତା ପାଇଁ ବେଗ ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପରିବହନ ବିଭାଗର ଯୁଗ୍ମ ସଚିବ ଅଭୟ ଦାମଲେଙ୍କ ନେତୃତ୍ୱରେ ଗଠିତ ଏକ କମିଟି ‘ଏକ୍ସପ୍ରେସ ୱେ’ ଏବଂ ରାଜପଥରେ ଦ୍ରୁତ ବେଗର ସୀମା ନିର୍ଦ୍ଧାରଣକୁ ଅନୁମୋଦିତ କରିଛନ୍ତି ।