ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ୬ଟି ଯାକ ଫ୍ରାଞ୍ଚାଇଜ୍ କିଣିଲେ ଆଇପିଏଲ୍ ମାଲିକ । ପଢନ୍ତୁ, କିଏ କିଣିଲେ କେଉଁ ଦଳକୁ…

530

କନକ ବ୍ୟୁରୋ: ଆସନ୍ତା ବର୍ଷଠାରୁ ଆଇପିଏଲ୍ ଢାଞ୍ଚାରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଯାଉଛି ସାଉଥ୍ ଆଫ୍ରିକା ଟି-୨୦ ଲିଗ୍ । ଯେଉଁଥିରେ ମୋଟ ୬ଟି ଦଳ ଭାଗ ନେବେ । ତେବେ ଏହି ୬ଟି ଯାକ ଟିମର ମାଲିକାନା ଆଇପିଏଲ୍ ଦଳର ମାଲିକମାନେ ହିଁ ହାତେଇ ନେଇଛନ୍ତି । ଅର୍ଥାତ ଭାରତୀୟ ମାନେ ଏବେ ଆଇପିଏଲ ସହ ବିଦେଶୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଟିମ୍ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ୨୦୨୩ ମସିହାରେ ଏହି ଲିଗ୍ ଖେଳାଯିବାକୁ ଅଛି । ଯାହାକି ଆଇପିଏଲ୍ ଢାଞ୍ଚାରେ ଖେଳାଯିବ । ତେବେ ଏଥିପାଇଁ ୬ଟି ଯାକ ଟିମର ମାଲିକାନା ଆଇପିଏଲ୍ ମାଲିକମାନେ ହାତେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସର ମାଲିକ ଜୋହାନ୍ସବର୍ଗ ଟିମ୍ କିଣିଥିବାବେଳେ, ମୁମ୍ବାଇ ଇଣ୍ଡିଆନ୍ସର ମାଲିକ କେପଟାଉନ୍, ସନରାଇଜର୍ସ ହାଇଦ୍ରାବାଦର ମାଲିକ ପୋର୍ଟ ଏଲିଜାବେଥ, ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ ପ୍ରିଟୋରିଆ, ଲକ୍ଷ୍ନୌ ସୁପରଜ୍ୟାଣ୍ଟସର ମାଲିକ ଡରବନ ଓ ରାଜସ୍ଥାନ ରୟାଲ୍ସ ଦଳର ମାଲିକ ପାର୍ଲ ଟିମକୁ କିଣିଥିବା ସୂଚନା ମିଳିଛି ।

ଏହି ନିଲାମ ପ୍ରକ୍ରିୟା ବିଧିବଦ୍ଧ ହୋଇନଥିଲେ ମଧ୍ୟ କିଛି ଦିନ ମଧ୍ୟରେ ଏନେଇ ବିଧିବଦ୍ଧ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ତେବେ ରିଲାଏନ୍ସ, ଆରପିଏସଜି ଗ୍ରୁପ, ସନ ଟିଭି, ଚେନ୍ନାଇ ସୁପର କିଙ୍ଗସ୍ କ୍ରିକେଟ୍ ଲିମିଟେଡ୍, ରୟାଲ୍ସ ସ୍ପୋର୍ଟସ ଗ୍ରୁପ ଓ ଜେଏସଡବ୍ଲ୍ୟୁ ସ୍ପୋର୍ଟସ ସାଉଥ୍ ଆଫ୍ରିକା ଟି-୨୦ ଲିଗରେ ଦଳର ମାଲିକାନା ହାସଲ କରିଥିବା ଜଣାପଡିଛି ।

କେବଳ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଲିଗ୍ ନୁହେଁ, ବିଶ୍ୱର ଅନ୍ୟ କ୍ରିକେଟ ଲିଗରେ ମଧ୍ୟ ଭାରତୀୟମାନେ ମାଲିକାନା ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜରେ ହେଉଥିବା କାରବିୟାନ୍ ପ୍ରିମିୟର ଲିଗରେ ଶାହାରୁଖ ଖାନ ତ୍ରିନାବାଗୋ ନାଇଟ୍ ରାଇଡର୍ସ ଦଳକୁ କିଣିଥିବାବେଳେ, ଏହା କୋଲକାତା ନାଇଟ୍ ରାଇଡର୍ସର ସିଷ୍ଟର ଟିମ୍ । ସେହିପରି ୟୁଏଇ ଟି-୨୦ ଲିଗରେ ମଧ୍ୟ ଶାହାରୁଖ ଖାନ ଟିମ୍ କିଣିଛନ୍ତି ।