ଲୋକଙ୍କ ଲୁହ ଦେଖି ସମ୍ଭାଳି ପାରିଲେନି ବିଧାୟକ, ଛାତିଏ ପାଣିରେ ପଶି କୁନି କୁନି ଶିଶୁଙ୍କୁ ଉଦ୍ଧାର କରି ସମସ୍ତଙ୍କ ହୃଦୟ ଜିତିଲେ ପୂର୍ଣ୍ଣଚନ୍ଦ୍ର ।

515

କନକ ବ୍ୟୁରୋ : କଥାରେ ଅଛି, ଛବି କଥା କୁହେ । ଯେଉଁ କଥାକୁ ବେଳେ ବେଳେ ଶହ ଶହ ଶବ୍ଦରେ ବୟାନ କରି ହୁଏ ନାହିଁ ତାହାକୁ ଗୋଟିଏ ଫଟୋ ହିଁ ବଖାଣିଦିଏ । ଶୀର୍ଷକ ପରେ ପରେ ଥିବା ଚିତ୍ରଟି ଠିକ୍ ସେମିତି ଏକ କାହାଣୀ କହୁଛି । ଯେଉଁ କାହାଣୀ ବୁଝାଇବାକୁ ହେଲେ ହୁଏତ ଫର୍ଦ୍ଦ ଫର୍ଦ୍ଦ କାଗଜ ଲାଗିଯିବ । କିନ୍ତୁ ଏହି ଗୋଟିଏ ମାତ୍ର ଫଟୋ ହିଁ ସବୁକିଛି କହିଦେଉଛି । ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରପଡୀତ ଗାଁ । ଗାଁ ଦାଣ୍ଡରେ ଛାତିଏ ପାଣି । ଆଉ ତାରି ଭିତରେ ଚାରଟି ମଣିଷ । ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା । ଆଉ ପୁରୁଷଙ୍କ କାନ୍ଧରେ କୁନି କୁନି ଦୁଇଜଣ ଶିଶୁ । ଏ ଚିତ୍ର ହିଁ ବୟାନ କରୁଛି ବନ୍ୟାର ଭୟାବହତା କେତେ ଏବଂ ବିପଦ ବେଳର ବନ୍ଧୁ କିଏ ।

ଛାତିଏ ପାଣି ଭିତରୁ କୁନି ପିଲାଟିକୁ କାନ୍ଦରେ ନେଇ ଆସୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଜନତାଙ୍କ ଦୁଃଖରେ ନେତାର ଭୂମିକା କଣ ବୋଧେ ପୂର୍ଣ୍ଣଚନ୍ଦ୍ର ବେଶ ଭଲଭାବେ ବୁଝି ପାରିଛନ୍ତି । ଯେଉଁଥିପାଇଁ ରାଜଧର୍ମର ପାଳନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ବିପର୍ଯ୍ୟୟ ପରେ ନେତାଙ୍କ କୁମ୍ଭୀର କାନ୍ଦଣା ଅନେକ ଥର ଦେଖିଥିବେ । ସବୁକିଛି ସରିଗଲା ପରେ ପ୍ରତିଶୃତିର ପୁଡିଆ ନେଇ ଘରେ ପହଞ୍ଚି ଯାଉଥିବାର ଅନେକ ନଜିର ରହିଛି । ଏମିତିକି ଏଇଆ କରିଦେବୁ , ସେଇଆ କରିଦେବୁ କହି ଖସି ଯାଇଥିବେ । କିନ୍ତୁ ପ୍ରକୃତ ବିପଦ ବେଳେ ନେତା ମାନେ ସତେ ଯେମିତି ଉଭାନ ହୋଇଯାଆନ୍ତି । କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ସାଜିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ।

ବିପଦ ବେଳେ ଯିଏ ସାଥୀରେ ଛିଡା ହୁଏ ତାକୁ ପ୍ରକୃତ ବନ୍ଧୁ କୁହାଯାଏ । ଆଉ ଠିକ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । କୁହାଯାଏ ବିପର୍ଯ୍ୟୟ ବେଳେ ରାଜା ମଧ୍ୟ ପ୍ରଜା ମାନଙ୍କ ପାଇଁ ଗାଦିରୁ ଓହ୍ଲାଇ ଆସିଥାନ୍ତି । ଆଉ ଠିକ୍ ସେହିଭଳି ତିତଲି ବାତ୍ୟା ପରେ ଗଞ୍ଜାମର ସୋରଡା ସହର ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ ଉଦ୍ଧାରକାର୍ଯ୍ୟ ପାଇଁ ଅଣ୍ଟାଏ ପାଣିକୁ ଓହ୍ଲାଇ ଆସିଛନ୍ତି ପୂର୍ଣ୍ଣଚନ୍ଦ୍ର । ନିଜ ପଦପଦବୀର ବଡିମାକୁ ପଛ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି ବିଧାୟକ । ଲକ୍ଷ୍ୟ କେବଳ ଗୋଟିଏ ଲୋକଙ୍କୁ ବିପଦରୁ ରକ୍ଷା କରିବା । କାରଣ ଏହି ପ୍ରତିଶୃତି ପାଇ ଲୋକମାନେ ତାଙ୍କୁ ଭୋଟ ଦେଇଥିଲେ । ଆଉ ଯେତେବେଳେ ଲୋକମାନେ ବିପଦରେ ପଡି ଲୁହ ଗଡାଇଛନ୍ତି ସେତେବେଳେ ନିଜକୁ ସମ୍ଭାଳି ନ ପାରି ଅଣ୍ଟାଏ ପାଣି ଭିତରେ ପହଞ୍ଚିଯାଇଛନ୍ତି ପୂର୍ଣ୍ଣଚନ୍ଦ୍ର । କୁନି କୁନି ଛୁଆଙ୍କୁ କାନ୍ଧରେ ବସାଇ ନେଉଥିବା ବେଳେ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ବିଧାୟକଙ୍କ ଏଭଳି କାଯ୍ୟକୁ ସୋରଡାବାସୀଙ୍କ ସମେତ ପୂରା ଓଡ଼ିଶାବାସୀ ବେଶ ପ୍ରଂଶସା କରିଛନ୍ତି । ଆଉ ବିପଦ ସମୟରେ ନେତା ମାନେ ଧରାଛୁଆଁ ଦିଅନ୍ତି ନାହିଁ ବୋଲି ଲୋକଙ୍କ ମନରେ ଯେଉଁ ଧାରଣା ରହିଥିଲା ସେଥିରେ ପୂର୍ଣ୍ଣଚନ୍ଦ୍ର ପକାଇଛନ୍ତି ପୂର୍ଣ୍ଣଚ୍ଛେଦ ।

କେବଳ ବିଧାୟକ ନୁହଁନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର ମଧ୍ୟ ସଙ୍କଟର ସାଥୀ ଭାବେ ଉଭା ହୋଇଛନ୍ତି । ତିତଲି ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ । ବାତ୍ୟା ପରେ ପରେ ବନ୍ୟା ଆସି ଗଞ୍ଜାମବାସୀଙ୍କ ଦୁଃଖ ବଢାଇ ଦେଇଛି । ବନ୍ୟା ଘେରରେ ଥିବା ଲୋକଙ୍କ ପାଖକୁ ରିଲିଫ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଦିନରାତିି ଏକ କରି ଦେଇଛି । ଆଉ ଏଭଳି ସମୟରେ ବନ୍ୟା ପୀଡିତଙ୍କ ଦୁଃଖର ସାଥୀ ପାଲଟିଛନ୍ତି ଯୁବ ଆଇଏଏସ ଅଫିସର ଚକ୍ରବର୍ତ୍ତୀ ସିଂ ରାଠୋର ।

ଯୁବ ଆଇଏଏସ ଅଫିସର ଚକ୍ରବର୍ତ୍ତୀ ସିଂ ରାଠୋର । ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ମାସ କେଇଟା ହେବ ନିଯୁକ୍ତି ପାଇଛନ୍ତି । ଖୁବ କମ ଦିନ ମଧ୍ୟରେ ଜଣେ ଦକ୍ଷ ତଥା ଲୋକପ୍ରିୟ ଅଫିସର ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଚକ୍ରବର୍ତ୍ତୀ । କେବଳ ଏତିକି ନୁହେଁ ତିତଲି ବାତ୍ୟା ପରେ ଆସିଥିବା ବନ୍ୟା ପ୍ରଭାବିତଙ୍କ ପାଇଁ ଏବେ ସଙ୍କଟର ସାଥୀ ହୋଇ ଛିଡା ହୋଇଛନ୍ତି ଚକ୍ରବର୍ତ୍ତୀ । କେବଳ ଏସି ରୁମର ଅଫିସ ମଧ୍ୟରେ ବସି ରିଲିଫ୍ କାମର ହିସାବ ନିକାସ ନ କରି ନିଜେ ରିଲିଫ୍ ବାଣ୍ଟିବାକୁ ଆଗେଇ ଆସିଛନ୍ତି ଏହି ଯୁବ ଅଫିସର । ଅନ୍ୟ ମାନଙ୍କ ସହ ମିଶି ରିଲିଫ ସାମଗ୍ରୀ ଧରି ନିଜେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ସହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟୁଛନ୍ତି ।

ସାଧାରଣତଃ ଉଚ୍ଚ ଅଧିକାରୀ ମାନେ ପ୍ରାକୃତିକ ଦୁର୍ବିପାକ ସମୟରେ କେବଳ ରିଲିଫ୍ କାମର ତଦାରଖ କରୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ରିଲିଫ୍ ସାମଗ୍ରୀ ଭର୍ତ୍ତି ହୋଇଥିବା ବସ୍ତା ଓ ପଲିଥିନ ଅଫିସର ବୋହୁଥିବାର ବହୁତ କମ ଦେଖିବାକୁ ମିଳିଥାଏ । ଆଉ ସେହି ରିଲିଫ୍ ସାମଗ୍ରୀ ବୋହୁଥିବା ଅଫିସରଙ୍କ ମଧ୍ୟରେ ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ ନିଜକୁ ସାମିଲ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ସଙ୍କଟ ବେଳେ ସାଥୀ ହୋଇ ଛିଡା ହୋଇଥିବାରୁ ଚକ୍ରବର୍ତ୍ତୀଙ୍କୁ ବ୍ରହ୍ମପୁରବାସୀ ପ୍ରଂଶସାରେ ପୋତି ପକାଇଛନ୍ତି । ଯେଉଁ ସମୟରେ ଲୋକମାନେ ଭିନ୍ନ ଭିନ୍ନ କାରଣକୁ ନେଇ ଅଫିସରଙ୍କ ଉପରକୁ ପ୍ରଶ୍ନ ଉଠାଉଛନ୍ତି ସେହିଭଳି ସମୟରେ ଚକ୍ରବର୍ତ୍ତୀଙ୍କ କାର୍ଯ୍ୟ ସମାଲୋଚକଙ୍କ ମୁହଁରେ ତାଲା ପକାଇବାକୁ ବାଧ୍ୟ କରିଛି । ବାସ୍ତବରେ ଏଭଳି ଅଫିସରଙ୍କୁ ଶହେ ସଲାମ ।