ବିଦେଶରେ ଓଡ଼ିଆ ଯୁବକଙ୍କୁ ନିର୍ଯାତନା : ଓଡ଼ିଶା ଫେରିବାକୁ ଭିଡ଼ିଓ ଜରିଆରେ କଲେ ନିବେଦନ; ଏପଟେ ଫେରିବା ବାଟକୁ ଚାହିଁ ରହିଛନ୍ତି ବାପା-ମା’

121

କନକ ବ୍ୟୁରୋ : ରୋଜଗାର କରିବା ଆଶାରେ ବିଦେଶକୁ ଯାଇ ନିର୍ଯାତିତ ହେଉଛନ୍ତି ଓଡ଼ିଆ ପୁଅ । ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା ମାଆ । ଖଲ୍ଲିକୋଟ ଏନଏସି ୮ ନମ୍ବର ୱାର୍ଡ଼ ଶ୍ୟାମସୁନ୍ଦରପୁର ଗାଁର ଗଙ୍ଗାଡ଼ାକୁଆଙ୍କ ସାନପୁଅ ବିଷ୍ଣୁ ପ୍ରସାଦ ଡ଼ାକୁଆ କାମ କରିବା ଆଶାରେ ଗତବର୍ଷ ବିଦେଶ ଯାଇଥିଲେ । କତାରର ଏକ କମ୍ପାନୀରେ ସେ ହେଲ୍ପର କାମ କରୁଥିଲେ ।

ସେଠାରେ ବର୍ଷେ କାମ କରିବା ପରେ କମ୍ପାନୀ ମାତ୍ର ୬ ମାମସର ଦରମା ଦେଇଥିଲା । ୨ ବର୍ଷ କାମ କରିବା ପରେ କମ୍ପାନୀ ନିଜ ଖର୍ଚ୍ଚରେ ଘରକୁ ପଠାଇବା ପାଇଁ ଚୁକ୍ତି ହୋଇଥିଲା । ମାତ୍ର ୬ ମାସର ଦରମା ନଦେଇ ଶ୍ରମିକ କ୍ୟାମ୍ପରୁ ବାହାର କରିଦେଇଛି କମ୍ପାନୀ । କମ୍ପାନୀ କମ୍ପରେ ବିଷ୍ଣୁଙ୍କର ଭିସା, ପାସପୋର୍ଟ, ମୋବାଇଲ ଫୋନ ହଜିଯାଇଛି । ବିନା ଭିସା ଓ ପାସପୋର୍ଟରେ ବିଷ୍ଣୁ କତାର ସହରରେ ଏଣେତେଣେ ବୁଲୁଥିବାରୁ ପୋଲିସ ଉଠାଇ ନେଇ ୨ ମାସ ଜେଲଦଣ୍ଡ ଦେବା ପରେ ଛାଡ଼ି ଦେଇଛି ।

ଏବେ ରହିବା ଖାଇବା ପାଇଁ ବିଷ୍ଣୁଙ୍କ ପାଖରେ ଟଙ୍କାଟିଏ ନଥିବା ବେଳେ ବାଧ୍ୟ ହୋଇ ରାସ୍ତାକଡ଼ରେ ଭିକ ମାଗି ଜୀବନ ବଂଚାଇଛନ୍ତି ବିଷ୍ଣୁ । ଭୋକ ଉପସରେ ବିଦେଶରେ ଦିନ କାଟୁଥିବା ବିଷ୍ଣୁ ଘରକୁ ଫେରିବା ପାଇଁ ଭିଡ଼ିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ଭେଟି ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ ।