ଚଳିତ ବର୍ଷ ଭକ୍ତଙ୍କ ଗ୍ରହଣରେ ହୋଇପାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସମନ୍ୱୟ କମିଟି ବୈଠକରେ ସଙ୍କେତ ଦେଲେ ପୁରୀ ଜିଲ୍ଲାପାଳ 

96

କନକ ବ୍ୟୁରୋ : ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହୋଇପାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଆଜି ସମନ୍ୱୟ ବୈଠକରେ ସଙ୍କେତ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏପରିକି ସେହି ଦିଗରେ ପ୍ରସ୍ତୁତି କରୁଛି ପୁରୀ ଜିଲ୍ଲା ପ୍ରଶାସନ ।

କରୋନା ଯୋଗୁ ଗତ ଦୁଇ ବର୍ଷ ଧରି ବିନା ଭକ୍ତରେ ରଥଯାତ୍ରା ହୋଇଥିବା ବେଳେ ଏଥର ପ୍ରବଳ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି । ୨୦୧୫ ନବକଳେବର ସମୟରେ ପୁରୀରେ ଯେଭଳି ଭକ୍ତଙ୍କ ସମାଗମ ହୋଇଥିଲା, ଏଥର ମଧ୍ୟ ସେହିପରି ଭିଡ଼ ହେବା ଅନୁମାନ କରାଯାଉଛି । ତେଣୁ ୧୦ରୁ ୧୫ ଲକ୍ଷ ଭକ୍ତ ପୁରୀକୁ ଆସିବା ନେଇ ସମ୍ଭାବନା ଥିବାରୁ ସେହି ଅନୁସାରେ ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।

ସେହିପରି ଚଳିତ ବର୍ଷ ସ୍ନାନପୂର୍ଣ୍ଣିମାରେ ମଧ୍ୟ ଭକ୍ତଙ୍କ ସମାଗମ ହେବ । ଦୁଇ ବର୍ଷ ପରେ ଭକ୍ତଙ୍କ ସହ ସ୍ନାନ ପୂର୍ଣ୍ଣିମା କରାଯିବ । ରଥଯାତ୍ରା ପୂର୍ବରୁ ଆଜି ପ୍ରଥମ  ସମନ୍ୱୟ ବୈଠକ ବସିଛି । ଏଥିରେ ରଥଯାତ୍ରା ସମ୍ପର୍କରେ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ, ପୌର ସଂସ୍ଥା ଓ ଜନସ୍ୱାସ୍ଥ୍ୟ ବିଭାଗ ଆଦିକୁ ଆକ୍ସନ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଏହା ସହ ବୈଠକରେ ରଥକାଠ, କନା ଓ ଦଉଡି ଯୋଗାଣ, ରଥ ନିର୍ମାଣ, ସ୍ୱାସ୍ଥ୍ୟ, ପରିମଳ ଓ ଗମନାଗମନ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଉଛି ।