ଚର୍ଚ୍ଚାରେ ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ପ୍ରେମ କାହାଣୀ : ପରକୀୟା ପ୍ରୀତିକୁ ନେଇ ସ୍ନିଗ୍ଧାରାଣୀଙ୍କ ସ୍ୱାମୀ ଦେଇଥିଲେ ଏତଲା

707

କନକ ବ୍ୟୁରୋ : ଚର୍ଚ୍ଚାରେ ସୁନ୍ଦରଗଡ଼ର ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓରଫ୍ ସୁନା ମ୍ୟାଡାମ୍ । ମ୍ୟାଡାମଙ୍କ ଗାଡି ଧକ୍କାରେ ୩ ଜଣ ପ୍ରାଣ ହରାଇବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନଥିବା ବେଳେ ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁର୍ଘଟଣା ପରେ ଗିରଫ ହୋଇଥିବା ଗାଡି ଚାଳକ ଅଜୟ କୁମାର ଜେଠୀଙ୍କ ସହ ଇନ୍ସପେକ୍ଟର ସୁନା ମ୍ୟାଡାମଙ୍କ ସଂପର୍କକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ଗିରଫ ଅଜୟ ଜେଠୀ ହେଉଛନ୍ତି ସ୍ନିଗ୍ଧରାଣୀଙ୍କ ପ୍ରେମିକ ଓ ତାଙ୍କ ସହ ପୁରୀ ଯାଇଥିଲେ । ସୁନା ମ୍ୟାଡାମଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ମେ’ ଦୁଇ ତାରିଖ ଦିନ ଅଜୟ ଜେଠୀ ଓ ସୁନା ମ୍ୟାଡାମଙ୍କ ନାଁରେ ସୁନ୍ଦରଗଡ଼ ଟାଉନ୍ ଥାନରେ ମାମଲା ରୁଜୁ ହୋଇଛି । ସୁନା ମ୍ୟାଡାମଙ୍କ ସ୍ୱାମୀ ଜଣେ ଅଧ୍ୟାପକ । ସେ ରାଉରକେଲାରେ ଏକ ସରକାରୀ କଲେଜରେ ଚାକିରି କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସେ ସୁନ୍ଦରଗଡ଼ରେ ତାଙ୍କ ପତ୍ନୀଙ୍କ କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ସେ ଅଜୟ ଜେଠୀଙ୍କୁ ଦେଖିଥିଲେ । ଅଜୟ କିଏ ବୋଲି ପଚାରିବାରୁ ସେ ତାଙ୍କୁ ବିବାହ କରିଥିବା କହିଥିଲେ ।

ଅଜୟ ମଧ୍ୟ ତାଙ୍କୁ ଗାଳିଗୁଲଜ କରିବ ସହ ଧମକଚମକ ଦେଇଥିବା ସୁନ୍ଦରଗଡ଼ ଥାନାରେ ଏତଲା ଦେଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଜୟଙ୍କୁ ଗିରଫ ପରେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବା ତଦନ୍ତରୁ ଜଣାପଡ଼ିଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଇବା ପାଇଁ ଅନୁମତି ଦେଇଥିବାରୁ ସୁନା ମ୍ୟାଡାମଙ୍କ ନାଁରେ ମାମଲା ରୁଜୁ ହୋଇଛି । ଦୁର୍ଘଟଣା ପରେ କାଳେ ପ୍ରେମ କାହାଣୀ ଧରାପଡ଼ିଯିବ ସେଥିପାଇଁ ଉଭୟ ଫେରାର ହୋଇଯାଇଥିବା କୁହାଯାଉଛି ।