ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା : ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଦେଲେ ବଙ୍ଗୀୟ ସଂପ୍ରଦାୟର ମହିଳା 

420

କନକ ବ୍ୟୁରୋ : ବିଜୟୀ ଦଶମୀ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା ଦୁର୍ଗା । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଛି । ଏହି ଆକର୍ଷଣୀୟ ବଙ୍ଗୀୟ ପରଂପରାର ଝଲକ ଦେଖିବାକୁ ମିଳିଛି ମାଲକାନଗିରିରେ । ମାଲକାନଗିରି ଦଣ୍ଡକାରଣ୍ୟ ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟ ମୂର୍ତିକୁ ବିସର୍ଜିତ କରିବା ପରେ ଆରମ୍ଭ ହୋଇଥାଏ ସିନ୍ଦୁର ଖେଳ । ସ୍ୱାମୀ ଓ ପରିବାରର ମଙ୍ଗଳ କାମନା କରି ମାଁ ଦଶଭୂଜାଙ୍କୁ ସିନ୍ଦୁର ଦାନ ପରେ ବଙ୍ଗାଳି ସଂପ୍ରଦାୟର ମହିଳାମାନେ ପରସ୍ପରକୁ ସିନ୍ଦୁର ବୋଲି ଖୁସି ମନାଇଥାନ୍ତି । ଦର୍ପଣ ବିସର୍ଜନ ଓ ଅପରାଜିତା ପୂଜା ଅନୁଷ୍ଠିତ ହେବା ପରେ ସଧବାମାନେ ପରସ୍ପରକୁ ସିନ୍ଦୁର ଲଗାଇ ମାଆଙ୍କୁ ମେଳାଣି ଦେଇଥାନ୍ତି ।

ସେପଟେ ବାଲେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ବଙ୍ଗୀୟ ପରମ୍ପରା ଆଧାରରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି । ବିଜୟା ଦଶମୀରେ ମାଆଙ୍କ ପାଇଁ ସିନ୍ଦୁର ଖେଳ ବିଧି ସମାପନ କରିଛନ୍ତି ମହିଳା । ମଣ୍ଡପରେ ମାଆଙ୍କ ଦର୍ଶନ କରିବା ପରସ୍ପରକୁ ସିନ୍ଦୁର ଲଗାଇଥାନ୍ତି ବଙ୍ଗୀୟ ମହିଳା ।

ଏହାସହ ଯାଜପୁରର ବ୍ୟାସନଗର ସହରର ମୁଣ୍ଡମାଳ ପୂଜା ମଣ୍ଡପରେ ୫୬ ବର୍ଷ ହେବ ବଙ୍ଗୀୟ ପରମ୍ପରାରେ ଜଗତଜନନୀଙ୍କ ପୂଜାର୍ଚ୍ଚନା କରାଯାଉଛି । ବିଜୟା ଦଶମୀରେ ପୂଜା ମଣ୍ଡପରେ ମାଆଙ୍କ ପୂଜା କରିବା ପରେ ବଙ୍ଗୀୟ ପଦ୍ଧତିରେ ଉଭୟ ବଙ୍ଗୀୟ ଏବଂ ଓଡିଆ ମହିଳାମାନେ ପରସ୍ପର ମଥା ଓ ମୁହଁରେ ସିନ୍ଦୁର ଲଗାଇ ସିନ୍ଦୂର ଖେଳ ଖେଳିଛନ୍ତି ।