ସେୟାର ବଜାରରେ ସୁଧାର ! ସେନସେକ୍ସରେ ୨୪୧ ପଏଂଟ ଓ ନିଫ୍ଟିରେ ୮୯ ପଏଂଟକୁ ବୃଦ୍ଧି

38

କନକ ବ୍ୟୁରୋ: ବଜେଟ ପରେ ପ୍ରଥମ ଥର ଲାଗି ସେୟାର ବଜାରରେ ସାମାନ୍ୟ ସୁଧାର ଆସିଛି । କାରବାର ଆରମ୍ଭରେ ସେନସେକ୍ସ ୨୪୧ ପଂଏଟ ବଢିଥିବାବେଳେ ନିଫଟ ୮୯ ପଏଂଟ ବଢିଛି । ଫେବୃଆରୀ ପହିଲାରେ ସାଧାରଣ ବଜେଟ ଉପସ୍ଥାପନ ପରେ ସେୟାର ବଜାରରେ ହାହାକାର ଦେଖାଦେଇଥିଲା । ଦୀର୍ଘମିଆଦୀ କ୍ୟାପିଟାଲ୍ ଗେନ୍ ଉପରେ ୧୦ ପ୍ରତିଶତ ଟିକସ ଘୋଷଣା ପରେ ସେୟାର ମାର୍କେଟରେ ହଇଚଇ ସୃଷ୍ଟି ହୋଇଥିଲା ।  ଟିକସ ନେଇ ନିବେଶକ ଅସନ୍ତୁଷ୍ଟ ଥିଲେ । ନିର୍ବାଚନ ପୂର୍ବରୁ ବିଭିନ୍ନ ସାମାଜିକ କ୍ଷେତ୍ରକୁ ମୋଦି ସରକାରଙ୍କ ବ୍ୟୟବରାଦ ମଧ୍ୟ ସେୟାର ବଜାରରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ଫଳରେ ନିବେଶକ ସେୟାର ବିକିବା ଆରମ୍ଭ କରିଥିଲେ । ଆମେରିକାରେ ସେୟାର ବଜାର କ୍ରାସର ପ୍ରଭାବ ବି ସେୟାର ବଜାର ଉପରେ ପଡିଥିଲା ।

ତେବେ ଦୁଇ ଦିନର ମାଡ଼ ପରେ ମଙ୍ଗଳବାର ଉପରେ ଥିଲା ସାରା ଦେଶର ନିବେଶକଙ୍କ ଆଖି । ଆଶା ଆଶଙ୍କା ଭିତରେ ଆରମ୍ଭ ହୋଇଥିଲା ମୁମ୍ବାଇ ଦଲାଲ୍ ଷ୍ଟ୍ରିଟରେ କାରବାର । ହେଲେ ମାତ୍ର କେତେ ମିନିଟ୍ ଭିତରେ ଯାହା ହୋଇଥିଲା, ନିବେଶକମାନଙ୍କ ଛାତିର ହୃତସ୍ପନ୍ଦନ ବଢିଯାଇଥିଲା । ଚାହୁଁ ଚାହୁଁ ବଜାରରୁ ଅଦୃଶ୍ୟ ହୋଇଗଲା ପାଖାପାଖି ୫ ଲକ୍ଷ ୫୦ ହଜାର କୋଟି । ଅନେକ କଂପାନୀ ଓ ନିବେଶକଙ୍କ ମୁଣ୍ଡରେ ଚଡ଼କ ପଡି ଯାଇଥିଲା । ସେନସେକସ ସୂଚକାଙ୍କରେ ହ୍ରାସ ପାଇଥିଲା ୧୨୭୫ ପଏଂଟ୍ । ଗତ ତିନି ଦିନ ମଧ୍ୟରେ ପ୍ରାୟ ୯ ଲକ୍ଷ ୬୦ ହଜାର ଲକ୍ଷ କୋଟି ଟଙ୍କା ହରାଇଥିଲେ ନିବେଶକ । ତେବେ ଧୀରେ ଧୀରେ ବଜାରରେ କିଛିଟା ସୁଧାର ଦେଖାଦେଇଥିଲା । ତେବେ କ୍ଲୋଜିଂ ବେଲ୍ ବାଜିବା ବେଳକୁ ୫୬୧ ପଏଂଟ୍ ହ୍ରାସ ପାଇ ସେନସେକସ ସୂଚକାଙ୍କ ୩୪ ହଜାର ୧୯୫ରେ ପହଁଚିଥିଲା । ସେହିପରି ନିଫଟି ୧୬୮ ପଏଂଟ୍ ହ୍ରାସ ପାଇ ୧୦ ହଜାର ୪୯୮ରେ ବନ୍ଦ ହୋଇଥିଲା ।

ବଜାରରେ ଏଭଳି ସ୍ଥିତି ବଜେଟ୍ ଉପସ୍ଥାପନ ପରେ ହୋଇଥିବାରୁ ଦୀର୍ଘମିଆଦୀ କ୍ୟାପିଟାଲ୍ ଗେନ୍ ଉପରେ ୧୦ ପ୍ରତିଶତ ଟିକସ ଏବଂ ବିତୀୟ ନିଅଂଟ, ଘରୋଇ ଉତ୍ପାଦର ୩.୫ ପ୍ରତିଶତ ଆକଳନ ଯୋଗୁଁ ଏପରି ପ୍ରଭାବ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ତେବେ ଆମେରିକା ସମେତ ବିଶ୍ୱର ବଡ଼ ବଡ଼ ପୁଞ୍ଜିବଜାରରେ ସଂକଟ ଦେଖା ଦେଇଥିବାରୁ ଏପରି ସ୍ଥିତି ହୋଇଥିବା କହିଥିଲେ ବିଶେଷଜ୍ଞ ।