ସହିଦ ବୀର ପୁଅ ଶଶାଙ୍କକୁ ଖୋଜୁଛି ଜନ୍ମମାଟି । ପୁଅକୁ ମନେ ପକାଇ ଏବେ ବି କାନ୍ଦୁଛନ୍ତି ବୁଢୀ ମା, ସ୍ତ୍ରୀ ଓ ପିଲା ଛୁଆ ।

137

କନକ ବ୍ୟୁରୋ: ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶ ବୀର ଯବାନଙ୍କ ଅମର ଗାଥାକୁ ମନେ ପକାଉଛି । ସେମିତି ଜଣେ ସହିଦ ଶଶାଙ୍କ ଶେଖର ସାମଲଙ୍କୁ ମନେ ପକାଉଛି ଯାଜପୁର ଧର୍ମଶାଳା ବ୍ଲକର କ୍ଷେତ୍ରପାଳ ଗାଁ, ମନେ ପକାଉଛନ୍ତି ମାଆ, ସ୍ତ୍ରୀ, ଭାଇ-ଭଉଣୀ ଓ ପ୍ରିୟଜନ । ଗତ ଫେବୃଆରୀ ଫେବୃଆର ୧୮ ତାରିଖରୁ ପୁଅ ସହିଦ ହୋଇଯାଇଛନ୍ତି କିନ୍ତୁ ଏଯାଏଁ ମାଆ ସଂଧ୍ୟାରାଣୀଙ୍କ ଆଖୁରୁ ଶୁଖିନି ଲୁହ ।

ସାନପୁଅକୁ ମନେ ପକାଇ କୁହନ୍ତି. ମୋ ପୁଅ ମୋର ହୋଇ ରହିଲା ନାହିଁ, ମୋ କୋଳକୁ ଖାଲି କରି ସାରା ଦେଶର ପୁଅ ହୋଇଗଲା । ସେହିଭଳି ସହିଦୀଙ୍କ ପତ୍ନୀ କୁହନ୍ତି, ସମସ୍ତେ ବୀରପତ୍ନୀ ହୋଇପାରନ୍ତି ନାହିଁ । ତେଣୁ ସେ ଗର୍ବ କରନ୍ତି, କିନ୍ତୁ ତାଙ୍କ ବିନା କେମିତି ବଞ୍ଚିବେ, କୁନି ପୁଅକୁ କେମିତି ଭଲ ମଣିଷଟିଏ କରିବେ ତାକୁ ନେଇ ଚିନ୍ତା କରନ୍ତି । ସହିଦ ଶଶାଙ୍କ ବାପା ଯଦୁନାଥ ସାମଲ ସ୍ଥଳସେନାରେ ଚାକିରିି କରିଥିଲେ । ବାପାଙ୍କୁ ଦେଖି ସେନା ବାହିନୀରେ ସାମିଲ ହେବାକୁ ପିଲାଟି ଦିନକୁ ପଣ କରନ୍ତି ଶଶାଙ୍କ ଶେଖର । ୨୦୧୦ରେ ଆର୍ମିରେ ଟେକନିକାଲ ଆସିଷ୍ଟାଣ୍ଡ ଭାବେ ଯୋଗ ଦିଅନ୍ତି । ଏହାପରେ ୨୦୧୬ରେ ସସ୍ମିତାଙ୍କ ସହ ତାଙ୍କର ବିବାହ ହୁଏ, ଅଢେଇ ବର୍ଷ ପରେ କୁନି ପୁଅର ବାପା ହୁଅନ୍ତି ଶଶାଙ୍କ ।

ବେଶ ହସଖୁସିରେ ଆଗକୁ ବଢୁଥିଲା ଶଶାଙ୍କଙ୍କ ପରିବାର । ଗତବର୍ଷ ଅଗଷ୍ଟ ମାସରେ ଘରକୁ ଆସିଥିଲେ, ଯିବା ବେଳେ କଥା ଦେଇଥିଲେ ୨୦୨୧ ଫେବୃଆରୀ ୨୨ ତାରିଖରେ ପୁଣି ଛୁଟିରେ ଆସିବେ । କଥା ରଖି ଫେବୃଆରୀ ଆସିଲେ ହେଲେ ଜୀବିତ ନୁହେଁ ସହିଦ ହୋଇ ଘରକୁ ଫରିଥିଲା ଶଶାଙ୍କ ଶେଖରଙ୍କ ପାର୍ଥିବ ଶରୀର । ସହିଦ ହେବା ବେଳକୁ ସ୍ଥଳସେନାର ଇଲେକଟ୍ରିକାଲ ମେଣ୍ଟେନାନସ ଇଂଜିନିୟର ଭାବେ ଲଦାଖରେ କାର୍ଯ୍ୟରତ ଥିଲେ ଶଶାଙ୍କ ଶେଖର । ଗତ ଫେବୃଆରୀ ୧୮ରେ ଲଦାଖ ଘାଟିରୁ ଫେରୁଥିବା ବେଳେ ଆତଙ୍କାବଦୀଙ୍କ ଗୁଳିର ଶିକାର ହୋଇ ପ୍ରାୟ ୫ଶହ ଫୁଟ ତଳକୁ ଖସି ପଡିଥିଲା ଶଶାଙ୍କ ଶେଖରଙ୍କ ଗାଡି, ସହିଦ ହୋଇଥିଲେ ଯାଜପୁରର ଏହି ବୀରପୁତ୍ର । ଆଉ ସେବେଠାରୁ ସହିଦଙ୍କୁ ଝୁରୁଛି ଜନ୍ମମାଟି ଝୁରୁଛନ୍ତି ପରିବାର ।