୧୨୯ ଜଣ ଯାତ୍ରୀଙ୍କୁ ଧରି କାବୁଲରୁ ଉଡାଣ କଲା ଏୟାର ଇଣ୍ଡିଆର ଶେଷ ଫ୍ଲାଇଟ, ରାତି ସୁଦ୍ଧା ଦିଲ୍ଲୀରେ ପହଂଚିବା ନେଇ ଆକଳନ

163

କନକ ବ୍ୟୁରୋ : ଆଫଗାନିସ୍ତାନରେ ସଂକଟ ଘନେଇବା ଫଳରେ କାବୁଲରେ ଥିବା ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ସରକାର ଚେଷ୍ଟା ଜାରୀ ରଖିଛନ୍ତି । ଏହି କ୍ରମରେ ଏୟାର ଇଣ୍ଡିଆର ଶେଷ ଫ୍ଲାଇଟ ୧୨୯ ଜଣ ଭାରତୀୟଙ୍କୁ ଧରି ଉଡାଣ କରିଛି । ଏହି ବିମାନ ରାତି ସୁଦ୍ଧା ଦିଲ୍ଲୀରେ ପହଂଚିବ ବୋଲି ଆକଳନ କରାଯାଇଛି ।

କହିରଖୁ କି, ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇଛି । ହେଲେ କାବୁଲ ଏୟାରପୋର୍ଟ ଏବେ ଆମେରିକା ସେନା ଦଖଲରେ ରହିଛି । ହେଲେ ଆଫଗାନିସ୍ତାନ ଏୟାର ଲାଇନ ଅସୁରକ୍ଷିତ ହୋଇ ପଡିବାରୁ ବେସାମରିକ ବିମାନ ଚଳାଇବା ବିପଦପୂର୍ଣ୍ଣ ହୋଇପଡିଛି । ଏସବୁକୁ ନଜରରେ ରଖି ଏୟାର ଇଣ୍ଡିଆର ଶେଷ ବ୍ୟବସାୟିକ ବିମାନ କାବୁଲରୁ ଉଡାଣ ଆରମ୍ଭ କରିଛି । ଏହା ରାତି ସୁଦ୍ଧା ଦିଲ୍ଲୀରେ ପହଂଚିବ । ଏହି ବିମାନରେ ୧୨୯ ଜଣ ଯାତ୍ରୀ ଥିବା ବେଳେ, ଅଧିକାଂଶ ଭାରତୀୟ ବୋଲି ଜଣାପଡିଛି   ।

 

ଅନ୍ୟପଟେ ତାଲିବାନର ଯୋଦ୍ଧାମାନେ ଏବେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଚାରିପଟୁ ଘେରି ରହିଥିବା ବେଳେ ଆଫଗାନିସ୍ତାନ ସେନା ତାଲିବାନ ନିକଟରେ ସରେଣ୍ଡର କରିଛି । ସେପଟେ ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ନେଇ ଆଲୋଚନା ଜାରୀ ରହିଛି । ଆଲୋଚନା ଚାଲିଥିବାରୁ ହିଂସା ନକରିବାକୁ ତାଲିବାନର ନେତୃତ୍ୱ ନିଜ ଯୋଦ୍ଧାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।