ବିଜେଡିକୁ କଳାପତାକା ଭୟ : ନୟାଗଡକୁ ଲୁଚି ପଳାଇଲେ ମନ୍ତ୍ରୀ ସଂଜୟ ଦାସବର୍ମା

34

କନକ ବ୍ୟୁରୋ : ବିଜେଡି ମନ୍ତ୍ରୀଙ୍କୁ ବିରୋଧର ଭୟ । କଳାପତାକା ପ୍ରଦର୍ଶନ ଭୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଲୁଚିଛପି ନୟାଗଡରେ ପହଂଚିଥିବା ଚର୍ଚ୍ଚା ହେଉଛି । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ପରେ, ବିଜେପି ଟାର୍ଗେଟରେ ବିଜେଡି ନେତା ଓ ମନ୍ତ୍ରୀ । ବିଭିନ୍ନ ସ୍ଥାନରେ ରାଜ୍ୟ ମନ୍ତ୍ରୀମାନଙ୍କୁ ବିରୋଧ କରି କଳାପତାକା ପ୍ରଦର୍ଶନ କରୁଛନ୍ତି ବିଜେପି କର୍ମୀ । ଗତକାଲି ନୟାଗଡରେ ବିଜେଡି ପ୍ରତିବାଦ ସଭାରେ ଯୋଗ ଦେବାକୁ ପହଂଚିଥିଲେ ମନ୍ତ୍ରୀ ସଂଜୟ ଦାସବର୍ମା, ଅରୁଣ ସାହୁ ଓ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ । ମହାନଦୀ ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ କରି ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଗତକାଲି ନୟାଗଡରେ ଧାରଣା ଦିଆଯାଇଥିଲା ।

ଏହି ପ୍ରତିବାଦ ସଭାରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଯୋଗଦାନକୁ ଶେଷ ମୁହୁର୍ତ ଯାଏଁ ଗୋପନ ରଖାଯାଇଥିଲା । ଏକ ଶୋଭାଯାତ୍ରା ସିନ୍ଦୁରିଆ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବାବେଳେ ଏଥିରେ ସାମିଲ ହୋଇଥିଲେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ଅରୁଣ ସାହୁ । ଏଥିପାଇଁ ବିଜେଡି ପକ୍ଷରୁ କରାଯାଇଥିଲା ଅଭୂତପୂର୍ବ ବନ୍ଦୋବସ୍ତ । ଶୋଭାଯାତ୍ରା ଚାରିପଟେ ଯୁବ ବିଜେଡି କର୍ମୀମାନେ ଜଗି ରହି କଢେଇ ନେଇଥିଲେ । ବିଜେପି କର୍ମୀ କଳା ପତାକା ଦେଖାଇବାର ଭୟ ରହିଥିବାରୁ ଦୁଇ ମନ୍ତ୍ରୀଙ୍କ ପାଇଁ ଏଭଳି ବନ୍ଦୋବସ୍ତ ହୋଇଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହେଉଥିବାରୁ ଏହାକୁ ଏଡାଇବା ପାଇଁ ଦୁଇ ଯୁବମନ୍ତ୍ରୀ ସଂଜୟ ଦାସବର୍ମା ଓ ଅରୁଣ ସାହୁ ସମର୍ଥକଙ୍କୁ ଢାଲ କରି ଶୋଭାଯାତ୍ରା କରିଥିବା ଆଲୋଚନା ହେଉଛି ।