ମେକ୍ ଇନ୍ ଓଡ଼ିଶାରେ ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା । ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ଜେଏସଡବ୍ଲୁ, ଶିଳ୍ପାୟନରେ ଏବେ ଓଡ଼ିଶା ଦେଶର ନେତୃତ୍ୱ ନେଉଛି । 

135

କନକ ବ୍ୟୁରୋ : ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା ।  ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜେଏସଡବ୍ଲ୍ୟୁ । ଏହାପୂର୍ବରୁ ୨୦୧୮ ମେକ ଇନ୍ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ଏବେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ସଜ୍ଜନ ଜିନ୍ଦଲ ସ୍ପଷ୍ଟ । ନିର୍ଦ୍ଦିଷ୍ଟ କୌଣସି ଗୋଟିଏ କ୍ଷେତ୍ର ନୁହେଁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ଏହି ନିବେଶ କରିବ ଜେଏସଡବ୍ଲୁ ଗ୍ରୁପ୍ ।

ବଡ଼ ବଡ଼ ଶିଳ୍ପ ଆସିଲେ ହଜାର ହଜାର ଏମଏସଏମଇ ଗଢିଉଠିବ। ଓଡ଼ିଶାରେ ଏକ ସ୍ଥିର ସରକାର ଅଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଢେର ଅର୍ଥ ଖର୍ଚ୍ଚ କରୁଛନ୍ତି। ହକି ଗୌରବ ହରାଇଥିଲା, କିନ୍ତୁ ଓଡିଶା ପାଇଁ ଅଲମ୍ପିକ ପଦକ ହାସଲ କରିପାରିଛି। ପୁରୁଣା ମନ୍ଦିରଗୁଡିକର ନବୀକରଣ, ସ୍କୁଲର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପାୟନରେ ଓଡ଼ିଶା ଏବେ ଦେଶର ନେତୃତ୍ୱ ନେଉଛି । ନବୀନଙ୍କ ନେତୃତ୍ୱରେ ଏହି ଧାରା ଆଗକୁ ବଢୁଛି ।  ଓଡ଼ିଶା ପାଖରେ ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ଜଳରାଶି ଓ ବନ୍ଦର ରହିଛି । ଯାହାର ଫାଇଦା ଓଡ଼ିଶାକୁ ମିଳୁଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଖଣି ନିଲାମ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଓ ଏହାକୁ ରାଜ୍ୟର ବିକାଶରେ ବିନିଯୋଗ କରୁଛି ।

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଟ୍ରିଲିୟନ ଡଲାର ଅର୍ଥନୀତି ଛୁଇଁବ । ଏହା ନିଶ୍ଚିତ ସମ୍ଭବ ହେବ । ତେବେ ସରକାରଙ୍କୁ ପରାମର୍ଶ ସ୍ୱରୂପ ସଜ୍ଜନ ଜିନ୍ଦଲ କହିଛନ୍ତି, ଓଡ଼ିଶାକୁ ଆହୁରି ଆଗକୁ ନେବାକୁ  ହେଲେ ଭିତ୍ତିଭୂମି ସୁଦୃଢିକରଣର ଆବଶ୍ୟକତା ରହିଛି ।  ସରକାର ଭିତ୍ତିଭୂମି ସୁଦୃଢ କରିବାକୁ ନିବେଶ କରନ୍ତୁ ।ଭିତ୍ତିଭୂମି ସୁଦୃଢ ହେଲେ ନିବେଶ ନିଶ୍ଚୟ ବଢବି । ଜାପାନ ଓ ଚୀନ୍ ମଧ୍ୟ ସମାନ ଫର୍ମୁଲା ଆପଣାଉଛନ୍ତି ଯାହା ଶିଳ୍ପପତିଙ୍କୁ ଶିଳ୍ପରେ ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି । ତେଣୁ ଓଡ଼ିଶା ମଧ୍ୟ ସେହି ଫର୍ମୁଲା ଆପଣାଇବା କଥା ।