ଗୁମୁରି କାନ୍ଦୁଛି ମାଆ, ଝୁରୁଛି ଗାଁ ମାଟି । ପରିବାରକୁ ଭେଟିବା ପାଲଟିଲା ସ୍ୱପ୍ନ, ଘରକୁ ଶବ ହୋଇ ଫେରିଲେ ଧରାକୋଟର ଯବାନ ସୌଦାଗର ବିଶ୍ୱାଳ ।

812

କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ମାଆ । ଝୁରୁଛି ଗାଁ ମାଟି । ମନରେ ଅନେକ ଖୁସି ନେଇ ନିଜ ମାଟିକୁ ଫେରୁଥିଲା ପୁଅ । ଫେରିବା ବାଟକୁ ଚାହିଁ ବସିଥିଲା ମା’ । ପୁଅ ତ ଫେରିଲା ହେଲେ ଆସିଲା ଶବ ହେଇ । ଏହିଭଳି ଏକ ଛାତିଫଟା ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ଜଗମୋହନ ଗାଁରେ । ଗାଁର ପୁଅ ଯବାନ ସୌଦାଗର ବିଶ୍ୱାଳ ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ । ଏମିତିକି ସାଙ୍ଗସାଥୀଙ୍କ ସହ ନାଚି ଗାଇ ଧମୁ ମଚାଇଥିଲେ । ହେଲେ ଘରକୁ ଫେରିବା ବେଳେ ଟ୍ରେନରେ ହୃଦଘାତରେ ଚାଲିଗଲା ଜୀବନ । ସୌଦାଗରଙ୍କୁ ହରାଇ ପରିବାର ଅସହାୟ ହୋଇପଡ଼ିଥିବା ବେଳେ ଯବାନକୁ ଝୁରୁଛି ଗାଁ ମାଟି ।

ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିଲେ ଯବାନ । ସହକର୍ମୀଙ୍କ ସହ ନାଚ ଗୀତରେ ବେଶ୍ ଧୁମ ମଚାଇଥିଲେ । ହେଲେ କାହାକୁ ବା ଜଣାଥିଲା ଦୁଇ ଦିନ ପରେ ଶ୍ମଶାନ ଘାଟରେ ଜଳିବ ତାଙ୍କ ଯୁଇ । ଛୁଟିନେଇ ଘରକୁ ଫେରୁଥିଲେ ହେଲେ ସବୁ ସ୍ୱପ୍ନ ତାଙ୍କର ଅଧାରେ ରହିଗଲା । ନା ଆସିଲେ ଘରକୁ ନା ଦେଖିପାରିଲେ ନିଜର କୁନି ପୁଅ ଓ ପରିବାରକୁ । ଘରକୁ ଫେରିବା ବେଳେ ଟ୍ରେନ୍ ଯାତ୍ରା ଥିଲା ତାଙ୍କର ଶେଷ ଯାତ୍ରା । ଗାଁକୁ ଫେରିଲାନି ପୁଅ ହେଲେ ଫେରିଛି ଶବ ହୋଇ । ମା’ର କୋଳ ଶୂନ୍ୟ ହୋଇଯାଇଛି । ଗୁମୁରି କାନ୍ଦୁଛି ମାଆ ଝୁରୁଛି ଜନ୍ମ ମାଟି । ଏହି ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ଜଗମୋହନ ଗାଁରେ । ଗାଁର ସୌଦାଗର ବିଶ୍ୱାଳ । ରେଳ ବିଭାଗର ସ୍ୱତନ୍ତ୍ର ଫୋର୍ସରେ କାମ କରୁଥିଲେ । ଏବେ ଛତିଶଗଡ କାମରୁଲରେ କାର୍ଯ୍ୟରତ ଥିଲେ ସୌଦାଗର । ପରିବାରକୁ ଭେଟିବାପାଇଁ ଗାଁକୁ ଫେରୁଥିବା ବେଳେ ଦାନ୍ତେୱାଡା ନିକଟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ପରିବାର କହିଲେ ବୃଦ୍ଧା ମା’ , ସ୍ତ୍ରୀ ଓ ଦେଢ ବର୍ଷର ପୁଅ । ଶେଷ ଥର ପାଇଁ ହେଉ ପଛେ ପରିବାରକୁ ଭେଟିପାରିଲେ ନି ସୌଦାଗର । କୋଳରେ ପିଲାକୁ ଧରି ସ୍ୱାମୀର ଫେରିବା ବାଟକୁ ଚାହିଁ ବସିଥିବା ସ୍ତ୍ରୀ ଅସହାୟ ହୋଇପଡ଼ିଛି । ଘରର ରୋଜଗାରିଆ ପୁଅ ଯେ ଆଉ ଫେରିବନି । ଖାଲି ଯେ ପରିବାର ନୁହେଁ ପୁରା ଗାଁ ମାଟି ଝୁରୁଛି ଯବାନ ପୁଅକୁ ହରାଇ । ଗାଁରେ ସମ୍ପୂର୍ଣ୍ଣ ଶୋକାକୂଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନ ସୌଦାଗରଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି ।